ବନ୍ୟାରେ ୧୦ ଜିଲ୍ଲାର ୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି: ଏସଆରସି

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପରିସ୍ଥିତି ବଢ଼ିବାରେ ଲାଗିଛି । ପ୍ରଶାସନ ପକ୍ଷରୁ ଦ୍ରୁତତାର ସହ ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରାଯିବା ସହ ସ୍ଥାନାନ୍ତର କରାଯାଉଛି । ଆସନ୍ତା ଗୁରୁବାର ମଧ୍ୟାହ୍ନ ସୁଦ୍ଧା ବନ୍ୟା ସ୍ଥିତି ଲାଗି ରହିବ । ସମସ୍ତଙ୍କୁ ସେପର୍ଯ୍ୟନ୍ତ ସୁଦ୍ଧା ସତର୍କ ରହିବାର ଆବଶ୍ୟକତା ରହିଛି । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ ବନ୍ୟା ସମ୍ପର୍ତିକ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ମୁଣ୍ଡଳୀରେ ବନ୍ୟାଜଳ ପିକରେ ରହିଛି ।

୧୦ଟି ଜିଲ୍ଲାର ୪୯ ବ୍ଲକ, ୩୬୯ ଗ୍ରାମପଞ୍ଚାୟତ, ୧୩୬୫ ଗାଁ ବନ୍ୟାରେ ପ୍ରଭାବିତ ହୋଇଛି । ଏହାଦ୍ୱାରା ୨ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ସୂଚନା ଦେଇଛନ୍ତି । ସେହିପରି ୨୩୭ଟି ଗାଁ ସମ୍ପୂର୍ଣ୍ଣ ପାଣି ଘେରରେ ରହିଛି । ୯୦ଟି ସ୍ଥାନରେ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ସେହିପରି ୭୦୭ରୁ ଉର୍ଦ୍ଧ୍ୱ ଘର ବନ୍ୟାରେ ନଷ୍ଟ ହୋଇଯାଇଛି ।

୨୪ ହଜାର ହେକ୍ଟର ଚାଷ ଜମି ବନ୍ୟା ଜଳରେ ବୁଡ଼ି ରହି କ୍ଷତିଗ୍ରସ୍ତ ହୋଇଛି । ମହାନଦୀ ସିଷ୍ଟମରେ ଦୁଇଟି ସ୍ଥାନରେ ଘାଇ ହୋଇଛି । ଖୋର୍ଦ୍ଧାର ରାଜୁଆ ନଦୀରେ ଏକ ଘାଇ ହୋଇଥିବା ବେଳେ ପୁରୀର ମକରା ନଦୀରେ ଏକ ଘାଇ ହୋଇଛି । ଅନେକ ସ୍ଥାନରେ ଘଳିଆ ପଡ଼ିଛି । ତାର ମରାମତି କାର୍ଯ୍ୟ କରାଯାଉଛି । ମୁଣ୍ଡଳୀରେ ୯ଘଣ୍ଟା ବନ୍ୟାପାଣି ପିକରେ ରହିବ । ଏବେ ୧୨ ଲକ୍ଷ ୧ହଜାର ୪୨୬ କ୍ୟୁସେକ ଜଳ ପ୍ରବାହିତ ହେଉଛି ।

ସେହିପରି ବର୍ଷାରେ ମଧ୍ୟ ୪୭ ବ୍ଲକର ୧୭୫ ଗ୍ରାମପଞ୍ଚାୟତ ପ୍ରଭାବିତ ହୋଇଛନ୍ତି । ମହାନଦୀରେ ଜଳସ୍ତର ବୃଦ୍ଧି ପାଉଛି । ବ୍ରାହ୍ମଣୀରେ ବିପଦ ସଙ୍କେତରେ ବହୁତ ତଳେ ଅଛି ପାଣି । ରାତି ୩ଟା ପରେ କେନ୍ଦ୍ରପଡ଼ା, ଜଗତସିଂହପୁର ଓ କଟକ ଜିଲ୍ଲାରେ ବନ୍ୟା ଜଳ ପିକରେ ପ୍ରବାହିତ ହେବ । ତେଣୁ ସତର୍କ ରହିବାକୁ ନିବେଦନ କରିଛନ୍ତି ଏସଆରସି । ସରକାରଙ୍କ ପକ୍ଷରୁ ଜିରୋ କାଜୁଆଲିଟିକୁ ଦୃଷ୍ଟିରେ ରଖାଯାଇ କାର୍ଯ୍ୟ ଜାରି ରହିଛି । ଲୋକମାନେ ଭୟଭୀତ ନହୋଇ ସତର୍କତା ଅବଲମ୍ବନ କରିବାକୁ ପ୍ରଦୀପ ଜେନା କହିଛନ୍ତି ।