ବିହାରରେ ବନ୍ୟା ପରିସ୍ଥିତି ଉଦ୍‍ବେଗଜନକ, ୪ ଲକ୍ଷ ସ୍ଥାନାନ୍ତର

1 min read

ବିହାର: ବିହାରରେ ବନ୍ୟା ପରିସ୍ଥିତି ଉଦ୍‍ବେଗଜନକ ହୋଇପଡ଼ିଛି । ଗଣ୍ଡକ, ବୃହି ଗଣ୍ଡକ, ବାଗମତୀ ଆଦି ନଦୀରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ଅନେକ ନୂଆ ନୂଆ ଇଲାକାରେ ବନ୍ୟାଜଳ ପ୍ରବେଶ କରିଛି । ଏହାକୁ ଦୃଷ୍ଟିରେ ରଖି ଦରଭଙ୍ଗା ଏବଂ ସମସ୍ତିପୁର ଜିଲ୍ଲାରେ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି । ୧୪ଟି ଜିଲ୍ଲାରେ ଥିବା ୧ ହଜାର ୪୩ଟି ପଞ୍ଚାୟତର ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହି ପ୍ରଳୟଙ୍କରୀ ବନ୍ୟାରେ ପ୍ରଭାବିତ ହୋଇଛନ୍ତି ।

ମଧୁବନୀ, ଗୋପାଳଗଞ୍ଜ,  ସୀତାମାଢ଼ି ଏବଂ ପଶ୍ଚିମ ଚମ୍ପାରନ୍‍ ଆଦି ଅଞ୍ଚଳରେ ବନ୍ୟା ପରିସ୍ଥିତି ଅଧିକ ଉଦ୍‍ବେଗଜନକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବନ୍ୟାଜନିତ ଘଟଣାରେ ୩୬ ଜଣ ଲୋକଙ୍କର ପ୍ରାଣହାନୀ ଘଟିଛି । ରେଳ ଧାରଣା ଉପରେ ବନ୍ୟାଜଳ ପ୍ରବେଶ କରିବା ଯୋଗୁଁ ପୂର୍ବକେନ୍ଦ୍ରୀୟ ରେଳବାଇର ଦରଭଙ୍ଗା-ସମସ୍ତିପୁର ସେକ୍ସନ ମଧ୍ୟରେ ରେଳସେବାକୁ ବନ୍ଦ ରଖାଯାଇଛି । ସେହିପରି ବନ୍ୟା ଯୋଗୁଁ ସଡ଼କ ପଥରେ ବ୍ୟାପକ କ୍ଷତି ଘଟିଥିବାରୁ ମୁଜାଫରପୁର ଓ ଛାପ୍ରା ମଧ୍ୟରେ ଯାନବାହନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି ।

ତେବେ ଉଦ୍ଧାର କାର୍ଯ୍ୟ ପାଇଁ ଏନ୍‍ଡିଆର୍‍ଏଫ୍‍ ଏବଂ ଏସ୍‍ଡିଆର୍‍ଏଫ୍‍ର ୨୯ଟି ଦଳକୁ ସେବାରେ ନିୟୋଜିତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୪ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ୩୦ ହଜାର ଲୋକ ବିଭିନ୍ନ ରିଲିଫ୍‍ ଶିବିରରେ ଆଶ୍ରୟ ନେଇଛନ୍ତି । ଅନ୍ୟୂନ ୯ ଲକ୍ଷ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇଦେବା ନିମନ୍ତେ ୧୩୪୨ଟି ଗୋଷ୍ଠୀ ପାକଶାଳାର ବ୍ୟବସ୍ଥା କରାଯାଇଛି ।

Leave a Reply