ଦାଉ ସାଧିଲା ବନ୍ୟାପାଣି, ଉଜାଡି ଦେଲା ଚାଷୀର ସୁନା ଫସଲ

ନନ୍ଦିଘୋଷ ବ୍ୟୁରୋ: ଧାନକଟା ସମୟରେ ମାଡ଼ିଆସିଲା ବନ୍ୟା ପାଣି। ହେକ୍ଟର ହେକ୍ଟର ଚାଷଜମିରେ ଲହଡ଼ି ମାରୁଛି ବନ୍ୟା ଜଳ। ଭାସୁଛି ପାଚିଲା ଧାନ । ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ। କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ବ୍ଲକ କରାଣ୍ଡିଆ ପାଟଣା ଗାଁରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ସେପଟେ ଲଗାଣ ବର୍ଷା ଚାଷୀର ମେରୁଦଣ୍ଡ ଦୋହଲାଇ ଦେଇଛି ।
ଦାଉ ସାଧିଲା ବନ୍ୟାପାଣି। ଉଜାଡି ଦେଲା ଚାଷୀର ସୁନା ଫସଲ । ଋଣ ଶୁଝିବା ଚିନ୍ତାରେ ଚଷାପୁଅ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ବ୍ଲକ କରାଣ୍ଡିଆ ପାଟଣା ଗାଁରେ ବ୍ୟାପକ ଫସଲ ନଷ୍ଟ । ଲୁଣା ଓ କରାଣ୍ଡିଆ ନଦୀରେ ଚଳିତ ବର୍ଷ ତିନିଥର ବନ୍ୟା ଆସି ଧାନ ଫସଲ ଉଜାଡ଼ି ଦେଇଛି। ଯୁଆଡେ ଚାହିଁବ ଚାଷ ଜମିରେ ପାଣି ହିଁ ପାଣି। ସୃଷ୍ଟି କରୁଛି ଚିଲିକାର ଭ୍ରମ।ପ୍ରାୟ ୨ଶହ ହେକ୍ଟର ଜମିରେ ପାଚିଲା ଧାନ ଫସଲ ସହିତ ରୁଆ ହୋଇଥିବା ୬୦ ହେକ୍ଟରରୁ ଅଧିକ ଜମିରେ ସାରଦ ଧାନ ଫସଲ ବନ୍ୟା ପାଣିରେ ବୁଡି ପଚିଷଢି ନଷ୍ଟ ହୋଇଯାଇଛି। ସ୍ଥିତି ଏପରି ହୋଇଛି ପାଚିଲା ଧାନ ଜମିରେ ଡଙ୍ଗା ଚାଲୁଛି। ଆଉ ଧାନ ପାଣିରେ ବୁଡି ରହିବା ଫଳରେ ଗଜା ହୋଇଗଲାଣି।
ଧାର କରଜ କରି ଶହ ଶହ ହେକ୍ଟର ଜମିରେ ଧାନ ଫସଲ ଚାଷ କରିଥିଲେ କରାଣ୍ଡିଆ ପାଟଣା ଗାଁର ଚାଷୀ। ହେଲେ ନଦୀରେ ବନ୍ୟା ଆସି ଧାନ ଫସଲକୁ ସମ୍ପୁର୍ଣ୍ଣ ନଷ୍ଟଭ୍ରଷ୍ଟ କରିଛି। ରୁଆ ହୋଇଥିବା ସାରଦ ଧାନ ଫସଲ ମଧ୍ଯ ପଚିଶଢି ଯାଇଥିବା ଚାଷି ଅଭିଯୋଗ କରିଛନ୍ତି। ତେଣୁ ସରକାର ତୁରନ୍ତ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଚାଷୀ।