ରାଜ୍ୟରୁ ଟଳିଲା ବନ୍ୟା ଆଶଙ୍କା, ଧୀରେ ଧୀରେ କମୁଛି ଜଳସ୍ତର

1 min read

ଭୁବନେଶ୍ୱର: ଚଳିତଥର ଭଲ ବର୍ଷା ହୋଇଛି । କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଥିବାରୁ କିଛି ସ୍ଥାନରେ ଜଳସ୍ତର ବଢ଼ିଥିଲା । କିନ୍ତୁ ରାଜ୍ୟରେ ବନ୍ୟା ସ୍ଥିତି ଉପୁଜି ନାହିଁ । ଉପର ମୁଣ୍ଡରେ ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ପାଣି ରହିଛି । ଏସବୁ ଅଞ୍ଚଳରୁ ଆଉ ଦିନେ ଦୁଇ ଦିନ ଭିତରେ ପାଣି ଛାଡ଼ିଯିବ । ହୀରାକୁଦ ଜଳଭଣ୍ଡାର ଜଳସ୍ତର କମୁଛି । ଏବେ ଆଉ ଅଧିକ ଗେଟ୍‌ ଖୋଲିବ ନାହିଁ । ବୌଦ୍ଧ ଜିଲ୍ଲାରେ ଗତ ୫ ଦିନ ହେଲା ବର୍ଷା ହୋଇ ନଥିବାରୁ ହୀରାକୁଦରୁ ଛଡ଼ାଯାଇଥିବା ପାଣିର ପ୍ରଭାବ ପଡ଼ିନାହିଁ ।

ତେବେ ହରଭଙ୍ଗା ବ୍ଲକ୍‌ କୃଷ୍ଣମୋହନପୁର ବାଲାଟ ନାଳ ସେତୁ କାମ ଚାଲିଥିବାରୁ ଉପରେ ୨ ଫୁଟ୍‌ ବନ୍ୟାପାଣି ଚାଲୁଛି । ଜଗନ୍ନାଥ ସଡ଼କର ବିଭିନ୍ନ ସ୍ଥାନରେ ଚାଲୁଛି ବନ୍ୟାପାଣି । ବାଙ୍କୀରେ ମହାନଦୀ ପାଣି ହ୍ରାସ ପାଇଛି । ହେଲେ ମହାନଦୀର ଶାଖା ରଣନଦୀରେ ବନ୍ୟାଜଳ ପ୍ରବେଶ କରିବାରୁ ବାଙ୍କୀ ତାଳବସ୍ତ ମୁଖ୍ୟ ରାସ୍ତାରେ ୨ – ୩ ଫୁଟ ବନ୍ୟାଜଳ ପ୍ରବାହିତ ହେଉଛି । ବିଲିପଡ଼ା, ଶିମିଳିପୁର, ତାଳବସ୍ତ ପଞ୍ଚାୟତର ଚାଷଜମିରେ ମାଡ଼ି ଯାଇଛି ପାଣି । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଫତେଗଡ଼ ପଞ୍ଚାୟତର ମଣିପୁର ଗାଁ ଗତକାଲି ରାତିରୁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।

ଭାପୁର ବ୍ଲକର ଫତେଗଡ଼, ମଣିପୁର ଗାଁ ସମେତ ମାଣିତ୍ରୀ, ଗୁଡୁପଡ଼ା ଓ ବଡ଼ବର ଗାଁ ହୋଇଛି ଜଳବନ୍ଦୀ । ଗଣିଆ ବ୍ଲକର ରାସଙ୍ଗରୁ ଛାମୁଣ୍ଡିଆ ଓ ବଡ଼ମୂଳକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର ବିଭିନ୍ନ ସ୍ଥାନରେ ୨-୩ ଫୁଟ୍‌ ପାଣି ପ୍ରବାହିତ ହେଉଛି । ଆଗକୁ ପୁଣି ବର୍ଷା ବଢ଼ିପାରେ । ତେବେ ବନ୍ୟା ହେବ ନାହିଁ । ଜଳସମ୍ପଦ ବିଭାଗ ସତର୍କ ଅଛି । ଖାସ୍ କରି ତଳିଆ ଅଞ୍ଚଳ ଉପରେ ରଖାଯାଇଛି ବିଶେଷ ନଜର।