ସମ୍ବଲପୁରବାସୀଙ୍କ ପାଇଁ କାଳ ସାଜିଛି ଫ୍ଲାଏଓଭର ନିର୍ମାଣ

ସମ୍ବଲପୁରବାସୀଙ୍କ ପାଇଁ କାଳ ସାଜିଛି ଫ୍ଲାଏଓଭର ନିର୍ମାଣ । ପାଦେ ପାଦେ କେ ବିପଦ । ସଡ଼କ ଦୁର୍ଘଟଣା କମାଇବା ପାଇଁ ଏନଏଚଆଇର ପଦକ୍ଷେପ ପାଲଟିଛି ବୁମେରାଂ । କମିବ କଣ ବଢୁଛି ଦୁର୍ଘଟଣା । ସମ୍ବଲପୁର ସହରର ବିଶେଷ କରି ରେମେଡ୍ ଛକରୁ ଅଇଁଠାପାଲି ପର୍ଯ୍ୟନ୍ତ ନିର୍ମାଣ ଚାଲିଛି ଫ୍ଲାଇଓଭର । ଫଳରେ ପ୍ରଦିନ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ଏନେଇ ଚିନ୍ତା ପ୍ରକଟ କରିଛନ୍ତି ସମ୍ବଲପୁର ସହରବାସୀ । କାରଣ ଯେତେବେଳେ ରାସ୍ତା ନିର୍ମାଣ କରାଯାଏ ସେହି ସମୟରେ ଏକ ବ୍ୟବସ୍ଥିତ ସର୍ଭିସ ରୋଡର ଆବଶ୍ୟକତା ଥାଏ । କିନ୍ତୁ ଏଠାରେ ତାହା ଦେଖିବାକୁ ମିଳୁନାହିଁ । କାହିଁକି ଜାତୀୟ ରାଜପଥ ପ୍ରାଧିକରଣ ଏଭଳି ଖାମ ଖିଆଲି କାମ କରୁଛି ତାକୁ ନେଇ ପ୍ରଶ୍ନ ଉଠିଛି l

ଏହି ରାସ୍ତାରେ ବିଶେଷ କରି ଚାରି ଜିଲ୍ଲାର ଯାତ୍ରୀ ଯିବା ଆସିବା କରିଥାନ୍ତି । ଗୋଟିଏ ପଟେ ଝାରସୁଗୁଡ଼ା ରୋଡ ଆସି ମିଶୁଥିବା ବେଳେ ଅନ୍ୟପଟେ ବରଗଡ ରୋଡ ଆସି ମିଶିଛି । ସେହିପରି ସୁବର୍ଣ୍ଣପୁର ଓ ଦେବଗଡ଼ ଜିଲ୍ଲାର ମଧ୍ୟ ଏହା ହେଉଛି ମୁଖ୍ୟ ରାସ୍ତା । ତେଣୁ ସବୁବେଳେ ଏହି ରାସ୍ତା ଭିଡ ରହୁଥିବାରୁ ଖୁବ୍ ଶୀଘ୍ର ଏକ ବ୍ୟବସ୍ଥିତ ସର୍ଭିସ ରୋଡ ନିର୍ମାଣ କରିବାକୁ ଦାବି କରିଛନ୍ତି ଲୋକେ । ଏଭଳି ଅବ୍ୟବସ୍ଥାକୁ ନେଇ ଜିଲ୍ଲା ପ୍ରଶାସନ ମଧ୍ୟ କାହିଁକି ଚୁପ୍ ବୋଲି ପ୍ରଶ୍ନ ଉଠିଛି ।