ସୌମ୍ୟାଶ୍ରୀ ଆତ୍ମହତ୍ୟା ମାମଲା: ମୁହଁ ଖୋଲିଲା ଆଭ୍ୟନ୍ତରୀଣ ଅଭିଯୋଗ କମିଟି

ନନ୍ଦିଘୋଷ ବ୍ୟୁରୋ: ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ମୁହଁ ଖୋଲିଛି କଲେଜରେ ତଦନ୍ତ କରୁଥିବା ଆଭ୍ୟନ୍ତରୀଣ ଅଭିଯୋଗ କମିଟି । ଏଚଓଡି ସମୀର ସାହୁ ମାନସିକ ନିର୍ଯାତନା ସହ ଫେଭର ମାଗୁଥିବା ଅଭିଯୋଗର ତଦନ୍ତ କରୁଥିଲା ଆଭ୍ୟନ୍ତରୀଣ ଅଭିଯୋଗ କମିଟି । ସୌମ୍ୟାଶ୍ରୀ ଏବଂ ଅନେକ ଛାତ୍ରୀଙ୍କ ଅଭିଯୋଗ ଆଧାରରେ  ଏଚଓଡି ସମୀର ସାହୁଙ୍କୁ ପଦରୁ ହଟେଇବାକୁ କମିଟି ସୁପାରିସ କରିଥିଲା। ହେଲେ  ଅଧ୍ୟକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ସୌମ୍ୟାଶ୍ରୀ ମାନସିକ ଭାବେ ଆଘାତପ୍ରାପ୍ତ ହୋଇ ଆତ୍ମାହୂତି ଦେଇଥାଇ ପାରନ୍ତି ବୋଲି କମିଟି କହିଛି ।

ଗତ ୩୦ ତାରିଖରେ ସୌମ୍ୟାଶ୍ରୀଙ୍କୁ ଚତୁର୍ଥ ସେମିଷ୍ଟାର ପରୀକ୍ଷା ଦେବାରୁ ବଞ୍ଚିତ କରିଥିଲେ ଅଭିଯୁକ୍ତ ବିଭାଗୀୟ ମୁଖ୍ୟ ସମୀର ସାହୁ । ଏନେଇ ସୌମ୍ୟାଶ୍ରୀ ସମୀରଙ୍କ ବିରୋଧରେ ମାନସିକ ଓ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏହାର ତଦନ୍ତ ପାଇଁ ଜୁଲାଇ ୧ ତାରିଖରେ ଅଧ୍ୟକ୍ଷ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିଥିଲେ । ୩ ତାରିଖରୁ କମିଟି ତଦନ୍ତ ଆରମ୍ଭ କରି ୯ ତାରିଖ ରାତି ପ୍ରାୟ ୯ଟା ବେଳେ ଅଧ୍ୟକ୍ଷଙ୍କୁ ରିପୋର୍ଟ ଦେଇଥିଲା । ସୌମ୍ୟାଶ୍ରୀ ଆଣିଥିବା ମାନସିକ ନିର୍ଯାତନା ଅଭିଯୋଗ ନେଇ କମିଟି ତାଙ୍କ ଶ୍ରେଣୀର ଅନ୍ୟ ଛାତ୍ରୀଙ୍କୁ ମଧ୍ୟ ଜେରା କରିଥିଲା । ଅନ୍ୟ ଛାତ୍ରୀମାନେ ମଧ୍ୟ ବିଭାଗୀୟ ମୁଖ୍ୟଙ୍କ କଠୋର ଅଭିମୁଖ୍ୟ ଉପରେ ଆପତ୍ତି ଉଠାଇଥିଲେ । କ୍ଲାସକୁ ସାମାନ୍ୟ ବିଳମ୍ବ ହେଲେ ୪୫ ମିନିଟ ଧରି ଶ୍ରେଣୀଗୃହ ବାହାରେ ଛିଡା କରାଇ ଦେଉଥିଲେ ବିଭାଗୀୟ ମୁଖ୍ୟ । ସେହିଭଳି ସୌମ୍ୟାଶ୍ରୀ ଆଣିଥିବା ଯୌନ ନିର୍ଯାତନା ଅଭିଯୋଗର କୌଣସି ପ୍ରତ୍ୟକ୍ଷ ପ୍ରମାଣ ନଥିଲା । କିନ୍ତୁ ଏଚଓଡିଙ୍କ କଠୋର ଆଭିମୁଖ୍ୟକୁ ନେଇ ପ୍ରାୟ ଅଧିକାଂଶ ଛାତ୍ରୀ ଆପତ୍ତି କରିଥିବାରୁ ତାଙ୍କୁ ତୁରନ୍ତ ଏଚଓଡି ପଦରୁ ହଟେଇବାକୁ କମିଟି ସୁପାରିଶ କରିଥିଲା । ଏଥିସହିତ ଅଧ୍ୟାପକ ସମୀର ସାହୁଙ୍କ ମଧ୍ୟ ତାଙ୍କ ବ୍ୟବହାରରେ ପରିବର୍ତ୍ତନ ଆଣି ଛାତ୍ରୀଙ୍କ ମାନସିକତା ଅନୁଯାୟୀ ପାଠ ପଢାଇବାକୁ କମିଟି ପରାମର୍ଶ ଦେଇଥିଲା । କିନ୍ତୁ ଅଧ୍ୟକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ । ଯାହାକୁ ନେଇ ସୌମ୍ୟାଶ୍ରୀ ମାନସିକ ଭାବେ ଆଘାତପ୍ରାପ୍ତ ହୋଇଥାଇପାରନ୍ତି ବୋଲି କମିଟି ସଦସ୍ୟ କହିଛନ୍ତି ।