ଦିଲ୍ଲୀ ବିସ୍ଫୋରଣରେ ବିଦେଶୀ ଲିଙ୍କ୍ ସନ୍ଦେହ
ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ଆତ୍ମଘାତୀ ବିସ୍ଫୋରଣରେ ବ୍ୟବହୃତ ହୋଇଛି ହାଇଗ୍ରେଡ ମିଲିଟାରୀ ବିସ୍ଫୋରକ । ଏହାସହ ବିସ୍ଫୋରଣ ପଛରେ ବିଦେଶୀ ହାତ ଥିବା ସନ୍ଦେହ କରାଯାଉଛି । ପ୍ରାଥମିକ ତଦନ୍ତରୁ ବିଦେଶରୁ ଏହି ବିସ୍ଫୋରଣ ଘଟାଇବା ଲାଗି ପ୍ଲାନ କରାଯାଇଥିବା କୁହାଯାଉଛି । ବିସ୍ଫୋରଣ ସ୍ଥଳୀରୁ ଫରେନସିକ ଟିମ ୪୨ଟି ସାମଗ୍ରୀ ଜବତ କରିଛି । ସେଥିରେ ରହିଛି କାରର ଅଂଶ ବିଶେଷ । ଘଟଣାର ତଦନ୍ତ ବଢ଼ାଇଛି ଏନଆଇଏ ।
ଘଟଣାରେ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣି ଶୋକ ପ୍ରକାଶ କରିବା ସହ ଘଟଣାର ନିନ୍ଦା କରିଛନ୍ତି । ତେଣେ ଡାକ୍ତର ସାହିନ ଅନସାରୀର ଭାଇ ପରଭେଜ ଅନସାରୀକୁ କବଜାକୁ ନେଇ ଜେରା କରୁଛି ଉତ୍ତରପ୍ରଦେଶ ଏଟିଏସ । ସାହିନର ଗିରଫ ପରେ ପରଭେଜ ଲୁଚିଥିଲା । ସେ ଲକ୍ଷ୍ନୌର ଇଣ୍ଟେଗ୍ରାଲ ୟୁନିଭର୍ସିଟିର ଛାତ୍ର ଥିବାବେଳେ ତା’ ଘରୁ ବହୁ ନଥିପତ୍ର ଜବତ କରାଯାଇଛି । ତେଣେ ବିସ୍ଫୋରଣ ଘଟଣା ପରେ କୋଲକାତାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଭାରତ-ଦକ୍ଷିଣ ଆଫ୍ରିକ ମଧ୍ୟରେ ଟେଷ୍ଟ ଖେଳାଯିବାକୁ ଥିବାରୁ ସହରରେ ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
କ’ଣ ଏହି ମିଲିଟାରୀ ଗ୍ରେଡ ବିସ୍ଫୋରକ ?
ମିଲିଟାରୀ ଗ୍ରେଡ ବିସ୍ଫୋରକ ହେଉଛି ଏକ ରିଆକ୍ଟିଭ ସବଷ୍ଟାନ୍ସ । ଏହା ହଠାତ୍ ଭୟଙ୍କର ବିସ୍ଫୋରଣ ହୋଇଥାଏ । ପ୍ରଚଣ୍ଡ ଶବ୍ଦ, ଆଲୋକ, ଚାପ ସୃଷ୍ଟି କରିଥାଏ ବିସ୍ଫୋରକ । ଏହା ଘଟଣା ସ୍ଥଳରୁ ବହୁତ ଅଞ୍ଚଳକୁ କ୍ଷତି ପହଞ୍ଚାଇବାକୁ ସକ୍ଷମ । ଏଥିରେ ନାଇଟ୍ରୋ ଗ୍ଲିସେରିନ କିମ୍ବା ଗ୍ରେନ ଡଷ୍ଟ ରହିଥାଏ । ଏକ ଗ୍ୟାସ ସିଲିଣ୍ଡର, ଏରୋସଲ କ୍ୟାନ, ବଏଲିଂ ଲିକୁଇଡ ରହିଥାଏ । ଏଥିରେ ଭେପର ଏକ୍ସପ୍ଲୋଜନ ନ୍ୟୁକ୍ଲିୟର ଏନର୍ଜି ସୃଷ୍ଟି ହୋଇଥାଏ । ଯାହା କ୍ଷୟକ୍ଷତିର ପରିମାଣ ବହୁତ ବଢ଼ାଇ ଦେଇଥାଏ ।
ଇମାମ ଗିରଫ
ଦିଲ୍ଲୀ ଆତ୍ମଘାତୀ ବିସ୍ଫୋରଣ ଘଟଣାରେ ଜାମ୍ମୁ ଓ କାଶ୍ମୀରର ସୋପିଆନର ଜଣେ ଇମାମକୁ ଗିରଫ କରିଛି ପୋଲିସ । ଗିରଫ ଇମାମ ହେଲେ ଇରଫାନ ଅହମ୍ମଦ ୱାଘା । ଡାକ୍ତରଙ୍କୁ ହିଂସାତ୍ମକ କାର୍ଯ୍ୟକଳାପ ପାଇଁ ଉସକାଇବା ଯୋଗାଇବା ତାକୁ ଗିରଫ କରିଛି ଜାମ୍ମୁ ଓ କାଶ୍ମୀର କାଉଣ୍ଟର ଇଣ୍ଟେଲିଜେନ୍ସ କାଶ୍ମୀର ଓ ଶ୍ରୀନଗର ପୋଲିସ । କାଶ୍ମୀରରେ ବହୁ ଯୁବକଙ୍କୁ ବି ଦେଶଦ୍ରୋହୀ କାର୍ଯ୍ୟରେ ସାମିଲ କରୁଥିବା ନେଇ ତା’ ବିରୋଧରେ ଅଭିଯୋଗ ଥିଲା ।

