ଶୀଘ୍ର ଭାଙ୍ଗିବ ଶିନ୍ଦେ ସରକାର: ଆଦିତ୍ୟ ଠାକରେ

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ନାଟକ ଥମିବାର ନାଁ ନେଉନାହିଁ । ଶିବସେନାରେ ଗୃହଯଦ୍ଧ ଲାଗି ରହିଛି । ବିଦ୍ରୋହ କରି ଉଦ୍ଧବ ଠାକରେଙ୍କୁ ଗାଦିଚ୍ୟୁତ କରି ନିଜେ ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ଶିନ୍ଦେ ଲଗାତାର ଶିବସେନାରେ ନିଜ ଆଧିପତ୍ୟ ଜାହିର କରିବା ପାଇଁ ଲାଗିପଡିଛନ୍ତି । ପ୍ରଥମେ ଉଦ୍ଧବଙ୍କଠାରୁ ବିଧାୟକଙ୍କ ସମର୍ଥନ ଛଡାଇବା ପରେ ନିକଟରେ ୧୨ ସାଂସଦଙ୍କୁ ନିଜ ଆଡକୁ କରି ଦେଇଛନ୍ତି ଶିନ୍ଦେ । ଏପରି ସ୍ଥିତିରେ ଶିବସେନାର ପ୍ରକୃତ ନେତା କିଏ ହେବ ତାକୁ ନେଇ ଟଣା ଓଟରା ଚାଲିଛି ।

ଏହାରି ମଧ୍ୟରେ ଶିବସେନାର ନେତା ତଥା ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ଶନିବାର ସେ ଦାବି କରି କହିଛନ୍ତି, ଏକନାଥ ଶିନ୍ଦେ ନେତୃତ୍ୱାଧୀନ ସରକାର ଖୁବଶୀଘ୍ର ଭାଙ୍ଗିଯିବ ଏବଂ ମଧ୍ୟମ ଅବଧି ନିର୍ବାଚନ ହେବ । ଶିବ ସମ୍ବାଦ ଯାତ୍ରା କାର୍ଯ୍ୟକ୍ରମର ତୃତୀୟ ଦିନରେ ପୈଠନରେ ଦଳର କର୍ମକର୍ତ୍ତାଙ୍କ ଏକ ସଭାରେ ଯୋଗ ଦେଇ ସେ ଏହି କଥା କହିଛନ୍ତି ।

ଆଦିତ୍ୟ ଆଗକୁ କହିଥିଲେ ଶିବସେନାର ବିଦ୍ରୋହୀ ବିଧାୟକ ତାଙ୍କ ବାପା ଏବଂ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସେ ସମୟରେ ଧୋକା ଦେଇଥିଲେ, ଯେତବେଳେ ସେ ଅସୁସ୍ଥ ଥିଲେ । ଶିବସେନା ବିଧାୟକ ସନ୍ଦୀପନ ଭୁମରେଙ୍କ ବିଧାନସଭା କ୍ଷେତ୍ର ହେଉଛି ପୈଠନ  । ସେ ଏକନାଥ ଶିନ୍ଦେଙ୍କ ନେତୃତ୍ୱ ଶିବସେନାର ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହୋଇଯାଇଥିଲେ ।