ଭୁବନେଶ୍ୱର: ଚିଟ୍ଫଣ୍ଡ ଠକେଇ ମାମଲାରେ ଆନ୍ଧ୍ରର ପୂର୍ବତନ ବିଧାୟକ ଡକ୍ଟର ମାଲ୍ଲା ବିଜୟ ପ୍ରସାଦ ଗିରଫ। ଡକ୍ଟର ମାଲ୍ଲା ବିଜୟ ପ୍ରସାଦଙ୍କୁ ଗିରଫ କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା। ବିଶାଖାପଟଣାରୁ ଆନ୍ଧ୍ରର ପୂର୍ବତନ ବିଧାୟକ ଡକ୍ଟର ମାଲ୍ଲା ବିଜୟ ପ୍ରସାଦଙ୍କୁ ଗିରଫ କରାଯାଇଛି। ମୋଟ୍ ୧୨ ଶହ ୫୦ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ ରହିଛି ତାଙ୍କ ନାଁରେ। ସେଥିରୁ ଓଡ଼ିଶାରୁ କେବଳ ୨କୋଟି ଟଙ୍କାରୁ ଅଧିକ ଟଙ୍କା ଠକେଇ କରିଥିବା ସୂଚନା ମିଳିଛି।

ଓଡ଼ିଶାର ଭୁବନେଶ୍ୱର, କଟକ ଏବଂ ନୟଗଡ଼ରେ ତାଙ୍କର ଚିଟଫଣ୍ଡ ସଂସ୍ଥା ରହିଥିଲା। ଓ୍ୱେଲଫର ବିଲ୍ଡିଂ ଇଷ୍ଟେଟ୍ ପ୍ରାଇଭେଟ ଲିମିଟେଟ ନାମରେ ରହିଥିଲା ଚିଟଫଣ୍ଡ ସଂସ୍ଥା। ବିଭିନ୍ନ ଲୋଭନୀୟ ଅଫର ଦେଇ ଟଙ୍କା ହଡ଼ପ କରୁଥିବାର ଅଭିଯୋଗ ହୋଇଥିଲା। ଅର୍ଥନୈତିକ ଅପରାଧ ଶାଖାରେ ୨୦୧୯ ମସିହାରେ ଏ ନେଇ ଏକ ମାମଲା ରୁଜୁ ହୋଇଥିଲା। ସମ୍ବଲପୁର ଧନୁପାଲିରେ ମଧ୍ୟ ମାଲ୍ଲା ବିଜୟଙ୍କ ବିରୋଧରେ ଠକେଇ ଅଭିଯୋଗ ରହିଛି।

ମାଲ୍ଲା ବିଜୟ ଗିରଫ ହେବା ପରେ ଅର୍ଥନୈତିକ ଅପରାଧ ସାଖା ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଓଡ଼ିଶା ଆଣୁଛି। ଗୋଟଏ ରାଜ୍ୟ ଅନ୍ୟ ଗୋଟିଏ ରାଜ୍ୟକୁ ଅଣାଗଲେ ଟ୍ରାଞ୍ଜିଟ ରିମାଣ୍ଡର ପ୍ରକ୍ରିୟା ଦେଇ ଅଣାଯାଇଥାଏ। ତେବେ ଓଡ଼ିଶା ଅଣାଗଲା ପରେ ତାଙ୍କୁ ପ୍ରଥମେ ଓପିଆଇ କୋର୍ଟରେ ହାଜିର କରାଯିବ।
ଓଡ଼ିଶା ପୋଲିସ ତରଫରୁ ମାଲ୍ଲା ବିଜୟଙ୍କ ବିରୁଦ୍ଧରେ ୪୨୦, ୪୦୬, ୪୬୭, ୪୬୮, ୪୭୧ , ୧୨୦B ଧଫା ଲଗାଯିବା ସହିତ ଚିଟଫଣ୍ଡ ଠକେଇ ପାଇଁ ଲାଗିଛି ଓପିଡିର ବେନିଂ ଆକ୍ଟ। ତେବେ ରିମାଣ୍ଡରେ ଆସିବା ପରେ ଖୋଲିବ ଚିଟଫଣ୍ଡର ଗୁମର। ଏହି ଚିଟଫଣ୍ଡ କାରବାରରେ ଆଉ କିଏ ଲିପ୍ତ ରହିଛନ୍ତି, ତାଙ୍କ ଲିଙ୍କରେ ଆଉ କିଏ କିଏ ରହିଥିଲେ ତାକୁ ନେଇ ଖୋଳତାଡ କରିବ କ୍ରାଇମବ୍ରାଞ୍ଚ।
ଡକ୍ଟର ମାଲ୍ଲା ବିଜୟ ପ୍ରସାଦ ୨୦୦୯ରୁ ୨୦୧୪ ଯାଏଁ ଭାଇଜାଗ ୱେଷ୍ଟର ବିଧାୟକ ଥିଲେ। ଏବେ ସେ ଆନ୍ଧ୍ରପ୍ରଦେଶର ଶିକ୍ଷା ଭିତ୍ତିଭୂମି ବିକାଶ ନିଗମ ଅଧ୍ୟକ୍ଷ ଅଛନ୍ତି ।

