ରିମାଣ୍ଡ ଅବଧି ସରିବା ପରେ ଜେଲ୍ ଗଲେ ନବରଙ୍ଗପୁର ପୂର୍ବତନ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟରେ ହାଜର ହେଲେ ନବରଙ୍ଗପୁର ପୂର୍ବତନ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ । ରିମାଣ୍ଡ ଅବଧି ସରିବା ପରେ ଆଜି ପ୍ରଶାନ୍ତ ରାଉତଙ୍କୁ କୋର୍ଟରେ ଭିଜିଲାନ୍ସ ହାଜର କରିବା ପରେ ଜେଲ ଗଲେ ଲାଞ୍ଚୁଆ ବାବୁ । ପ୍ରଶାନ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିଲା ଭିଜିଲାନ୍ସ । ଦୀର୍ଘ ୫ ଦିନ ଧରି ଭିଜିଲାନ୍ସର କଟକ କାର୍ଯ୍ୟାଳୟରେ ତାଙ୍କୁ ଜେରା କରାଯାଇଥିଲା । ପ୍ରଶାନ୍ତ ଏତେ ସମ୍ପତ୍ତି କେଉଁଠୁ ଆଣିଲେ ସେନେଇ ତଥ୍ୟ ଆଦାୟ କରିଛି ଭିଜିଲାନ୍ସ ।

ଏନେଇ ପ୍ରଶାନ୍ତଙ୍କଠାରୁ ବହୁ ସୁରାକ୍ ମିଳିଥିବା କୁହାଯାଉଛି । ଆଉ ୩ଟି ପ୍ଲଟ ସହ ୬ଟି ବେନାମୀ ଆକାଉଣ୍ଟ ଠାବ ହୋଇଛି । ପ୍ରଶାନ୍ତ ରାଉତଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଥିଲେ ମୁଖ୍ୟମନ୍ତ୍ରୀ । କୋଟି କୋଟି ଟଙ୍କା ବେଆଇନ ସମ୍ପତ୍ତି ଠୁଳ କରିଥିଲେ ପ୍ରଶାନ୍ତ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଶାନ୍ତ ରାଉତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ବିଭାଗ । ଆୟଠାରୁ ୫୦୬% ଅଧିକ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ ।

୩ କୋଟିରୁ ଅଧିକ ନଗଦ ଟଙ୍କା ସହ ମୋଟ ୫ କୋଟିରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି । ଗତ ୨୩ ତାରିଖରେ ୯ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ହୋଇଥିଲା । ୯୨.୩୪ ଲକ୍ଷର ବ୍ୟାଙ୍କ ଜମା ଓ ବୀମା, ୧ କୋଟି ୨୦ ଲକ୍ଷ ଟଙ୍କାର ନଗଦ ଟଙ୍କା, ପ୍ରାୟ ୩୭ ଲକ୍ଷର ୨ଟି ୪ଚକିଆ, ଗୋଟିଏ ୨ ଚକିଆ ଠାବ ହୋଇଛି । ୨୭.୨୭ଲକ୍ଷର ସୁନା ରୁପରା ଅଳଙ୍କାର ଠାବ ହୋଇଛି । ଝିଅର ପାଠପଢ଼ା ପାଇଁ ୮୭ଲକ୍ଷ ଖର୍ଚ୍ଚ କରିଥିଲେ ପ୍ରଶାନ୍ତ ।