ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର: ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତିଙ୍କ ପରଲୋକ। ୬୭ ବର୍ଷ ବୟସରେ ମହେଶ୍ବରଙ୍କର ପରଲୋକ ହୋଇଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହେଶ୍ବରଙ୍କର ପରଲୋକ ହୋଇଛି ।

ଗତ ୧ ତାରିଖ ରାତିରେ ମହେଶ୍ବର ମହାନ୍ତି ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ପ୍ରଥମେ ତାଙ୍କୁ ନ୍ୟୁରୋଲୋଜି ବିଭାଗରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଭୋର ୩ଟା ୨୫ରେ ତାଙ୍କର ପରଲୋକ ହୋଇଥିବା ସୂଚନା।

ଉଲ୍ଲେଖଯୋଗ୍ୟ, ମହେଶ୍ବରଙ୍କ ଉପରେ ଜୀବନକାଳ ମଧ୍ୟରେ ଦୁଇ ଦୁଇ ଥର ମରଣାନ୍ତକ ଆକ୍ରମଣ ହୋଇଥିଲା। ୨୦୧୪ ଫେବୃଆରୀ ୨୨ ତାରିଖରେ ସେ ଆଇନ ଏବଂ ଯୋଜନା ସଂଯୋଜନା ମନ୍ତ୍ରୀ ଥିବା ସମୟରେ ଆକ୍ରମଣ ହୋଇଥିଲା । ଏକ ସଭା ସାରି ନିଜ ସ୍କୁଟରରେ ଫେରୁଥିବା ବେଳେ ପୁରୀ ଅମଲା ଛକ ନିକଟରେ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି କରିଥିଲା। ଗୋଟେ ଗୁଳି ତାଙ୍କ କାନ୍ଧ ଓ ଅନ୍ୟଟି ତାଙ୍କ ହାତରେ ବାଜିଥିଲା।

ଏହି ଘଟଣାର ଠିକ ଦୁଇ ବର୍ଷ ପୂର୍ବରୁ ୨୦୧୨ ଜାନୁଆରୀରେ ମଧ୍ୟ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା। ପୁରୀ ନିର୍ବାଚନମଣ୍ଡଳୀର ଆଳନ୍ଦିଆ ଗାଁରେ ଏକ ନିର୍ବାଚନୀ ସଭାରେ ତାଙ୍କ ଉପରେ ଜଣେ ଦୁର୍ବୃତ୍ତ ଶାବଳରେ ଆକ୍ରମଣ କରିଥିଲେ। ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଥିବା ସଭାରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଦୁର୍ବୃତ୍ତ ଜଣକ ମହିଳା ବେଶରେ ସଭାମଞ୍ଚକୁ ଉଠି ଶାବଳରେ ଆକ୍ରମଣ କରିଥିଲା। ସେ ସମୟରେ ମୃତ୍ୟୁକୁ ମାତ୍ ଦେଇପାରିଥିବା ମହେଶ୍ୱର ଆଜି ଚିରନିଦ୍ରାରେ ଶୋଇ ପଡିଛନ୍ତି ।