୭୬ ବର୍ଷ ବୟସରେ ଧୂମଧାମରେ ବାହାହେଲେ ଏହି ଦେଶର ରାଷ୍ଟ୍ରପତି

ସାଓପାଉଲୋ: ବ୍ରାଜିଲର ୭୬ ବର୍ଷୀୟ ପୂର୍ବତନ ରାଷ୍ଟ୍ରପତି ଲୁଇସ ଇନ୍ସିୟୋ ଲୁଲା ଡିସିଲଭା ଗତ ବୁଧବାର ଦିନ ବିବାହ କରିଛନ୍ତି। ଲୁଇସ୍ ଧୂମଧାମରେ ୫୫ ବର୍ଷୀୟା ରୋସଗେଲା ସିଲଭାଙ୍କୁ ବିବାହ କରିଛନ୍ତି ।

ସମର୍ଥକ, ରାଜନେତା ଓ କଳାକାରଙ୍କୁ ନେଇ ଏକ ବଡ୍ ବିବାହ ଭୋଜିର ମଧ୍ୟ ଆୟୋଜନ କରାଯାଇଥିଲା । ୧୫୦ରୁ ଅଧିକ ବ୍ୟକ୍ତି ବିବାହରେ ସାମିଲ ହୋଇଥିଲେ । ଖାଲି ଏତିକି ନୁହେଁ ଗ୍ରାମୀ ପୁରସ୍କାର ବିଜେତା ଗିଲବର୍ଟୋ ଗିଲ୍ ମଧ୍ୟ ସାମିଲ ରହିଥିଲେ।

ଖବର ଅନୁଯାୟୀ, ଅକ୍ଟୋବର ମାସରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଦୌଡରେ ଆଗରେ ରହିଛନ୍ତି ଲୁଲା ।

ଲୁଲା ଇନଷ୍ଟାଗ୍ରାମରେ ପତ୍ନୀଙ୍କୁ ମୁଦି ପିନ୍ଧାଉଥିବାର ଏକ ଫଟୋ ପୋଷ୍ଟ କରିଛନ୍ତି । ତେବେ ଲୁଲା ପୂର୍ବରୁ ଦୁଇ ଦୁଇ ଥର ବିବାହ କରିଥିଲା ବେଳେ ତାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଥିଲା ।   ବିବାହର ଦୁଇ ବର୍ଷ ପରେ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୭ରେ ଦ୍ୱୀତିୟ ପତ୍ନୀଙ୍କ ଦେହାନ୍ତ ହୋଇଥିଲା । ଦ୍ୱୀତିୟ ପତ୍ନୀଙ୍କ ଠାରୁ ୪ଟି ସନ୍ତାନ ରହିଛି । ପରବର୍ତ୍ତୀ ସମୟରେ ରୋସଗେଲାଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା ।

ଅପରପକ୍ଷେ ରାଷ୍ଟ୍ରପତି ନିର୍ବାଚନକୁ ଲୁଲା ପ୍ରେମ ଓ ଘୃଣା ମଧ୍ୟରେ ଥିବା ଲଢେଇ ରୂପେ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ।