କ୍ଲିଣ୍ଟନଙ୍କ ବଡ଼ ଅଭିଯୋଗ: କ୍ଷମତାରେ ରହିବାକୁ ଇରାନ ସହ ଯୁଦ୍ଧ କରୁଛନ୍ତି ନେତାନ୍ୟାହୁ

1 min read

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ଇସ୍ରାଏଲ-ଇରାନ ବିବାଦ । ଦୁଇ ଦେଶ ପରସ୍ପର ଉପରେ ଜାରି ରଖିଛନ୍ତି ମିଜାଇଲ ଓ ଡ୍ରୋନ ଆଟାକ୍ । ଇରାନ ଆଜି ଇସ୍ରାଏଲର ରାଜଧାନୀ ତେଲ ଅବିବ ଉପରେ ଏକାଧିକ ବାଲେଷ୍ଟିକ ମିଜାଇଲ ଓ ରକେଟ୍ ମାଡ଼ କରିଛି । ସେପଟେ ଇସ୍ରାଏଲ ଇରାନର କୁଦସ ଫୋର୍ସର ଅସ୍ତ୍ରଶସ୍ତ୍ର ଟ୍ରାନ୍ସଫର ୟୁନିଟ୍ ମୁଖ୍ୟ କମାଣ୍ଡର ବେନହମ ଶାହରିୟାରୀଙ୍କୁ ହତ୍ୟା କରିଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭୟଙ୍କର ସ୍ଥିତିରେ ପହଞ୍ଚି ଥିବା ବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନଙ୍କ ଆସିଛି ବଡ଼ ବୟାନ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଉପରେ କ୍ଲିଣ୍ଟନ ଗୁରୁତର ଅଭିଯୋଗ ଲଗାଇଛନ୍ତି । ସେ କହିଛନ୍ତି, ନେତାନ୍ୟାହୁ କ୍ଷମତାରେ ରହିବା ପାଇଁ ଦୀର୍ଘ ଦିନରୁ ଇରାନ ସହ ଯୁଦ୍ଧ କରିବାକୁ ଚାହୁଁଥିଲେ ।

ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ତାଙ୍କ ଗୁଇନ୍ଦା ସଂସ୍ଥାରେ ବି ହଲଚଲ ଆରମ୍ଭ ହୋଇଯାଇଛି । କାରଣ ନିଜ ଗୁଇନ୍ଦା ସଂସ୍ଥାର ରିପୋର୍ଟକୁ ବି ମିଛ ମାନୁଛନ୍ତି ଟ୍ରମ୍ପ । ସୂଚନାଯୋଗ୍ୟ, ଆମେରିକା ଗୁଇନ୍ଦା ସଂସ୍ଥା ନିଜ ଅଧିକାରୀକ ରିପୋର୍ଟରେ ଉଲ୍ଲେଖ କରିଛି ଯେ, ଇରାନ ବର୍ତ୍ତମାନ ପରମାଣୁ ବୋମା ବନାଇବାକୁ ଯାଉନାହିଁ । ଏହି ରିପୋର୍ଟ ଆମେରିକାର ଗୁଇନ୍ଦା ସଂସ୍ଥା ମୁଖ୍ୟ ତୁଲସୀ ଗବାର୍ଡ ଦେଇଛନ୍ତି । ହେଲେ ତୁଲସୀଙ୍କ ରିପୋର୍ଟକୁ ଟ୍ରମ୍ପ ଭୁଲ ବୋଲି କହିଛନ୍ତି । ସେ କହିଛନ୍ତି, ଯଦି ଆମ ଗୁଇନ୍ଦା ସଂସ୍ଥା ଏମିତି କହୁଛି, ତେବେ ସେମାନ ଭୁଲ କରୁଛନ୍ତି ।