ନୂଆ ରୂପ ପାଇବ ଓ୍ବାକଫ ଭବନ, ପଡ଼ିଲା ଭିତ୍ତିପ୍ରସ୍ତର

1 min read

କଟକ: ମୁସଲମାନ ସଂପ୍ରଦାୟଙ୍କ ବହୁ ପ୍ରତିକ୍ଷିତ ୱାକଫ ଭବନର ଭିତ୍ତିପ୍ରସ୍ତର ସ୍ଥାପନ । ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା କଟକ ପୁରୁଣା ସଚିବାଳୟ ପରିସରରେ ଭବନର କଲେ ଶିଳାନ୍ୟାସ । ୧୯୫୯ ମସିହାରୁ ପୁରୁଣା ବିଲଡିଂରେ ଜରାଜୀର୍ଣ୍ଣ ଅବସ୍ଥାରେ ଚାଲିଥିଲା ୱାକଫ ବୋର୍ଡ । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏହାକୁ ବିଚାର କରି ୬ କୋଟି ୭୫ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଦେଇଥିଲେ । ଏଥିରେ ଖୁବଶୀଘ୍ର ୫ ମହଲା ବିଶିଷ୍ଟ ନୂଆ ଅଟ୍ଟାଳିକା ନିର୍ମାଣ ହେବ । ଆଉ ହଜ ଯିବା ପାଇଁ କାଗଜପତ୍ର କରିବାରେ ହେବନି ସମସ୍ଯା ।

ସୂଚନାଯୋଗ୍ୟ, ୱାକଫ ବୋର୍ଡ ବକ୍ସିବଜାର ପୁରୁଣା ସଚିବାଳୟ ପରିସରରେ କାର୍ଯ୍ଯ କରି ଆସୁଥିଲା । ୧୯୯୯ ମହାବାତ୍ଯା ଓ ପରବର୍ତ୍ତି ସମୟରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଏହି ପୁରୁଣା ଘର ଭାଙ୍ଗିରୁଜି ଯାଇଥିଲା । ତେବେ ମୁସଲମାନ ଭାଇମାନଙ୍କ ସମସ୍ଯାର ସମାଧାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ନୂଆ ବିଲଡିଂ ପାଇଁ ମଞ୍ଚୁର ହୋଇଛି ଟଙ୍କା । ଏଥିପାଇଁ ସମସ୍ତଙ୍କ ଉପସ୍ଥିତିରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଅନୂସୁଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ।

ନୂଆ ରୂପ ପାଇବା ସହ ୱାକଫ ଭବନ ପାଇଁ ୫ ମହଲା ନୂଆ କୋଠା ନିର୍ମାଣ ହେବ । ଏଥିରେ ୱାକଫ ବୋର୍ଡ ଅଫିସ, ୱାକଫ ବୋର୍ଡ ଟ୍ରିବ୍ୟୁନାଲ, କନଫରେନ୍ସ ହଲ, ରେକର୍ଡ ରୁମ ରହିବ । ହଜ ବେଳେ ଏଠାରେ ସମସ୍ତ କାଗଜପତ୍ର ପ୍ରସ୍ତୁତ କରାଯିବ । ଚଳିତବର୍ଷ ରାଜ୍ଯ ସରକାର ୱାକଫ ଅନୁଷ୍ଠାନର ସହାୟତା ପାଇଁ ୧୮ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହି ଅବସରରେ ରାଜ୍ଯ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲ୍ଲାର ୪୪୫ଟି ୱାକଫ ଅନୁଷ୍ଠାନକୁ ଦେଇଥିବା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।