ରାଜସ୍ଥାନ ଯୋଧପୁରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ପୋଲିସ ଉପରକୁ ଟେକା ପଥର ମାଡ଼

1 min read

ଯୋଧପୁର: ଆଜି ସକାଳୁ ରାଜସ୍ଥାନର ଯୋଧପୁର ଜଲୋରି ଗେଟ୍ ଅଞ୍ଚଳରେ ଇଦ୍ ନମାଜ ପଢ଼ା ସରିବା ପୁଣି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ହିଂସା ବେଳେ ପୋଲିସ ଉପରକୁ ଟେକା ପଥର ମାଡ଼ କରାଯାଇଥିବା ବେଳେ ଅନେକ ଗାଡ଼ି ଭାଙ୍ଗି ଦିଆଯାଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠି ଚାର୍ଜ କରିବା ସହ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା । ଗତକାଲି ରାତିରେ ଜଲୋରି ଗେଟଠାରେ ଥିବା ସ୍ୱାଧୀନତା ସଂଗ୍ରାମୀ ବାଲ ମୁକୁନ୍ଦ ବିର୍ସାଙ୍କ ପ୍ରତିମୂର୍ତ୍ତିରେ ସାମ୍ପ୍ରଦାୟିକ ପତାକା ଓ ଲାଉଡ ସ୍ପିକର ଲଗାଇବାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଓ ପଥରମାଡ଼ ହୋଇଥିଲା । ଏଥିରେ ଚାରି ଜଣ ପୋଲିସ କର୍ମୀଙ୍କ ସମେତ ଅନେକ ଆହତ ହୋଇଥିଲେ ।

ତେବେ ଗତକାଲି ରାତି ହିଂସା ପରେ ସହର ଓ ପୁରା ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଥିଲା । ଆଜି ରାତି ୧ଟା ପର୍ଯ୍ୟନ୍ତ ଇଣ୍ଟରନେଟ ବନ୍ଦ ରହିବ ଓ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି । ଅନ୍ୟପକ୍ଷରେ ଆଇନଶୃଙ୍ଖଳା ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଶାନ୍ତି ଓ ଭାଇଚାରାର ପରମ୍ପରାକୁ ସମ୍ମାନ ଦେବାକୁ ଅପିଲ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସେପଟେ ଜାମ୍ମୁ-କାଶ୍ମୀରର ଅନନ୍ତନାଗରେ ନମାଜ ପରେ ବିଗିଡିଛି ସ୍ଥିତି । ନମାଜ ପାଠ ପରେ କେତେକ ଅସାମାଜିକ ଗୋଷ୍ଠୀ ଆଜାଦ କାଶ୍ମୀର ନାରା ଲଗାଇଥିଲେ । ସୁରକ୍ଷାବଳ ପକ୍ଷରୁ ସେମାନଙ୍କ ରୋକାଯିବାକୁ ଚେଷ୍ଟା କରାଯିବା ପରେ ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପଥର ମାଡ଼ କରିଥିଲେ । ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି । ଆଇନଶୃଙ୍ଖଳା ପାଇଁ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି ।