ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ, ସ୍ବାମୀଙ୍କ ଅଧୁରା ସ୍ବପ୍ନ ପୂରଣ କରିବି: ଅଳକା

ଭୁବନେଶ୍ବର: ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ସ୍ବର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଳକାଙ୍କ ନାଁ ଘୋଷଣା ସହ ନବୀନ ନିବାସ ଆଗରେ କର୍ମୀଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା । ନବୀନ ପଟ୍ଟନାୟକ ଜିନ୍ଦାବାଦ ଏବଂ କିଶୋର ପଟ୍ଟନାୟକ ଅମର ରହେ ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ନବୀନ ନିବାସ ପରିସର ।

ନାଁ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ଅଳକା ମହାନ୍ତି । ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଳକା । ଏହାସହ ବ୍ରଜରାଜନଗର ଅଞ୍ଚଳର ଲୋକଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ଏହି ଅବସରରେ ସ୍ବାମୀ ସ୍ବର୍ଗତ କିଶୋର ମହାନ୍ତିଙ୍କୁ ମନେ ପକାଇଛନ୍ତି ଅଳକା । କହିଛନ୍ତି ବ୍ରଜରାଜନଗରର ବିକାଶ ପାଇଁ ସ୍ବାମୀ ବହୁତ ସ୍ବପ୍ନ ଦେଖିଥିଲେ । ସେ ସ୍ବପ୍ନ ପୂରଣ ହେବା ପୂର୍ବରୁ ସେ ଆରପାରିକୁ ଚାଲିଗଲେ । ସେ ଦେଖିଥିବା ସବୁ ସ୍ବପ୍ନ ପୂରଣ କରିବାକୁ ଚେଷ୍ଟା କରିବି ।

ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ସହ ତାଙ୍କ ପ୍ରତିଦ୍ବନ୍ଦ୍ବିତାକୁ ନେଇ ପ୍ରଶ୍ନର ଉତ୍ତରରେ ସେ ମୋର ବଡ଼ ଭଉଣୀ ଭଳି କହିଥିଲେ । ରାଜନୀତିରେ ସବୁ ଦଳ ନିଜ ପ୍ରାର୍ଥୀ ଘୋଷଣା କରିବେ ।

ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ଓ ଲୋକାଭିମୁଖୀ କାମକୁ ନେଇ ଲୋକଙ୍କ ପାଖକୁ ଯିବୁ ବୋଲି ସେ କହିଛନ୍ତି । ଏହାସହ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ପାଇଁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଛନ୍ତି । ଏହି ସବୁ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବୁ । ବହୁତ ପରିଶ୍ରମ କରିବୁ ଓ ଅଧିକରୁ ଅଧିକ ଭୋଟରେ ଜିତାବୁକ ଚେଷ୍ଟା କରିବୁ ।

ସୂଚନାଯୋଗ୍ୟ, କିଶୋର ମହାନ୍ତିଙ୍କ ବିୟୋଗ ପରେ ଏହି ଆସନଟି ଖାଲି ପଡିଥିଲା । ୪ ଥର ବିଧାୟକ ଥିଲେ କିଶୋର ମହାନ୍ତି । ଝାରସୁଗୁଡ଼ାରୁ ୩ ଥର ଜିତିଥିବା ବେଳେ ବ୍ରଜରାଜନଗରରୁ ଥରେ ବିଧାୟକ ହୋଇଥିଲେ । ବିଧାନସଭାର ବାଚସ୍ପତି ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ କିଶୋର । ମେ’ ୧୧ ତାରିଖରେ ଅଳକା ନାମାଙ୍କନପତ୍ର ଦାଖଲ କରିପାରନ୍ତି । ମେ’ ୩୧ରେ ବ୍ରଜରାନଗରରେ ହେବ ଭୋଟ ଗ୍ରହଣ । ଜୁନ ୩ ତାରିଖରେ ପ୍ରକାଶ ପାଇବ ଫଳାଫଳ ।