ବାର୍ଥ ସାର୍ଟିଫିକେଟ ହେବ ଏକକ ଦସ୍ତାବିଜ: ଏସବୁ କ୍ଷେତ୍ରରେ ହେବ ପ୍ରମାଣପତ୍ର

1 min read

ନୂଆଦିଲ୍ଲୀ: ଆଜିଠୁ ଜନ୍ମଗତ ପ୍ରମାଣପତ୍ର ହେବ ଏକକ ଦସ୍ତାବିଜ । ଶିକ୍ଷାନୁଷ୍ଠାନରେ ଆଡମିସନ, ବିବାହ ପଞ୍ଜିକରଣ, ଡ୍ରାଇଭର ଲାଇସେନ୍ସ, ସରକାରୀ ଚାକିରି ଆଦି କ୍ଷେତ୍ରରେ ଆବଶ୍ୟକ ହେବ ଜନ୍ମଗତ ପ୍ରମାଣପତ୍ର । ଆଜିଠାରୁ ଲାଗୁ ହେବ ଏହି ନିୟମ ।

କେନ୍ଦ୍ରୀୟ ଯୋଜନା ଓ ସେବା କ୍ଷେତ୍ରରେ ସ୍ବଚ୍ଛତା ବଜାୟ ରଖିବା ଲାଗି ଏହା ଆବଶ୍ୟକ ବୋଲି କୁହାଯାଇଛି । ସେପ୍ଟେମ୍ବର ୩୦ରେ ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ସଂଶୋଧନ ଆଇନ ୨୦୨୩ କାର୍ଯ୍ୟକାରୀ ହେବା ପରେ ଏନେଇ ଘୋଷଣା କରିଥିଲା କେନ୍ଦ୍ର ଗୃହ ମନ୍ତ୍ରାଳୟ ।

ଏହି ଆଇନ କାର୍ଯ୍ୟକାରୀ ହେବା ପଛରେ ରହିଛି କେତେକ କାରଣ । ଏହାଦ୍ବାରା ଦେଶର ଜନସଂଖ୍ୟାଜନିତ ସର୍ଭେ କ୍ଷେତ୍ରରେ ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କୁ ସହାୟକ ହେବ । ପଞ୍ଜିକୃତ ଜନ୍ମ-ମୃତ୍ୟୁ ନେଇ ଏକ ଜାତୀୟ ଡାଟାବେସ ପ୍ରସ୍ତୁତିରେ ବି ଏହା ସହାୟକ ହେବ । ରାଜ୍ୟ ଦ୍ବାରା ନିଯୁକ୍ତ ଚିଫ ରେଜିଷ୍ଟ୍ରାର ଓ ରାଜ୍ୟ ଦ୍ବାରା ନିଯୁକ୍ତ ଆଞ୍ଚଳିକ ରେଜିଷ୍ଟ୍ରାରଙ୍କ ନିକଟରେ ବି ତଥ୍ୟ ରହିବ । ରାଜ୍ୟସ୍ତରରେ ବି ଏକ ଡାଟାବେସ ରହିବ । ଏହି ଡାଟାବେସରେ ଅଣପ୍ରତିଷ୍ଠାନ ଭିତ୍ତିକ ପୋଷ୍ୟ ସନ୍ତାନ ଗ୍ରହଣ, ସରୋଗାସୀ, ଅବିବାହିତା ମାତାଠାରୁ ଜାତ ସନ୍ତାନ ଆଦିଙ୍କ ତଥ୍ୟ ରହିବ । ଜାତୀୟ ସ୍ତରରେ ଜନସଂଖ୍ୟା ରେଜିଷ୍ଟର, ଭୋଟର ତାଲିକା, ରାସନ କାର୍ଡ ଆଦି କ୍ଷେତ୍ରରେ ଏହି ଜାତୀୟ ଡାଟାବେସ ବି ପ୍ରସ୍ତୁତ ହେବ ।