ଦିନକ ପରେ ମୌସୁମୀ ଅଧିବେଶନ: ଆସିବ ପୂର୍ଣ୍ଣାଙ୍ଗ ବଜେଟ୍

1 min read

ଭୁବନେଶ୍ବର: ଦିନକ ପରେ ବିଧାନସଭା ମୌସୁମୀ ଅଧିବେଶନ । ଆସିବ ପୂର୍ଣ୍ଣାଙ୍ଗ ବଜେଟ୍‌ । ଗୃହ ହେବ ବେଶ୍‌ ସରଗରମ । ପୁରୁଣା ଓ ନୂଆ ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରିବାକୁ ବିରୋଧୀ କରିଛନ୍ତି ପ୍ରସ୍ତୁତି କରିଛନ୍ତି । ଅନ୍ୟପଟେ  ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ, ଆଲୋଚନା ମାଧ୍ୟମରେ ଜବାବ ଦେବାକୁ ଶାସକ ଦଳ ବି ପ୍ରସ୍ତୁତ ।

ଜୁଲାଇ ୨ରୁ ଅଗଷ୍ଟ ୪, ବିଧାନସଭାର ମୌସୁମୀ ଅଧିବେଶନ । ୨୪ଟି କାର୍ଯ୍ୟଦିବସ ଥିବା ଲମ୍ବା ଅଧିବେଶନ ପାଇଁ ଶାସକ ଓ ବିରୋଧୀ ତୟାର । ସୁରୁଖୁରୁରେ ଗୃହ ଚଳାଇବା ପାଇଁ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ପରେ ଏବେ କିଏ କେଉଁ ପ୍ରସଙ୍ଗ ଉଠାଇବେ ସେନେଇ ଶାସକ ଓ ବିରୋଧୀ ଶିବିର ତତ୍ପର । ନୂଆ ଓ ପୁରୁଣା ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି । ମୁଖ୍ୟ ବିରୋଧୀ ବିଜେପି ଆଇନଶୃଙ୍ଖଳା, ଚାଷୀ, ବେକାରୀ, ପୁଞ୍ଜିନିବେଶ ଆଦି ପ୍ରସଙ୍ଗ ଉଠାଇବାକୁ ନିଷ୍ପତ୍ତି ନେଇଛି । ସେହିପରି କଂଗ୍ରେସ ଦରଦାମ, ଅଗ୍ନିପଥ ଯୋଜନା, ଚାଷୀ ଓ ଆଇନ ଶୃଙ୍ଖଳା ପରି ଅନେକ ପ୍ରସଙ୍ଗ ଉଠାଇବ । ରାଜ୍ୟର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଗୃହରେ ଉଠାଇବା ସହ ବିରୋଧୀଙ୍କ ସବୁ ପ୍ରଶ୍ନର ଜବାବ ଦେବାକୁ ଶାସକ ଦଳ ତୟାର ବୋଲି କହିଛନ୍ତି ବିଜେଡି ବିଧାୟକ ଉମା ସାମନ୍ତରାୟ ।

ପଞ୍ଚମ ପାଳିର ତୃତୀୟ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି । ନୂଆ ବାଚସ୍ପତି ଭାବେ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ପ୍ରଶାନ୍ତ ମୁଦୁଲି, ଉପମୁଖ୍ୟ ସେଚତକ ଭାବେ ସରୋଜ ମେହେର ଦାୟିତ୍ବ ନେଇଛନ୍ତି । ନୂଆ ଜୋସ୍‌ ସହ ମନ୍ତ୍ରୀମାନେ କାମ ଆରମ୍ଭ କରିଛନ୍ତି । ଅଧିବେଶନ ପାଇଁ ସମସ୍ତେ ପ୍ରସ୍ତୁତ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ।

ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଗୃହରେ ବଜେଟ ଉପସ୍ଥାପନ କରିବେ ।

ଦୁଇଟି ପର୍ଯ୍ୟାୟରେ ଦୈନିକ ୬ଘଣ୍ଟା ଚାଲିବ ଗୃହକାର୍ଯ୍ୟ । ବିଧାନସଭା ଅଧିବେଶନ ପୂର୍ବରୁ ସମସ୍ତ ସଦସ୍ୟ ଓ କର୍ମଚାରୀଙ୍କ କୋଭିଡ ଟେଷ୍ଟିଂ କରାଯାଇଛି । ସେପଟେ ବିଧାନସଭାର ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ବରିଷ୍ଠ ପୋଲିସ୍ ଅଧିକାରୀ । ମୌସୁମୀ ଅଧିବେଶନ ସମୟରେ ବିଧାନସଭାର ଭିତର, ବାହାର ଓ ଆଖପାଖ ଅଞ୍ଚଳର ସୁରକ୍ଷାକୁ କଡାକଡି କରାଯାଇଛି । ବିଧାନସଭା ଭିତରେ ଗୁଇନ୍ଦା ବିଭାଗ କର୍ମଚାରୀ ନିୟୋଜିତ ରହିବାକୁ ଥିବାବେଳେ ତ୍ରିସ୍ତରୀୟ ସୁରକ୍ଷାରେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିବେ । ଡଗ୍ ସ୍କ୍ବାର୍ଡ ଓ ବମ୍ ସ୍କ୍ବାର୍ଡ ସହିତ ଦୁଇଟି ୟୁନିଟ୍ ଏସ୍ଓଜି ମୁତୟନ ରହିବେ । କୌଣସି ପ୍ରକାର ଅଘଟଣକୁ ରୋକିବାକୁ ୫ଟି ପୃଥକ୍ ପୃଥକ୍ ସ୍ଥାନରେ କଣ୍ଟ୍ରୋଲ ରୁମ୍ ସ୍ଥାପନ ସହିତ ସିସିଟିଭି ସର୍ଭଲାନ୍ସରେ ରହିବ ପୂରା ଅଞ୍ଚଳ ।

ସେପଟେ ବିଧାନସଭା ଅଧିବେଶନ ସମୟରେ ଆନ୍ଦୋଳନକାରୀଙ୍କ ଧାରଣା ଓ ବିକ୍ଷୋଭ ରହୁଥିବାରୁ ଏହା ଉପରେ ମଧ୍ୟ ତିକ୍ଷ୍ନ ନଜର ରଖାଯିବ । ବିଧାନସଭା ଓ ଏହାର ଆଖକପାଖ ଅଞ୍ଚଳର ସୁରକ୍ଷା ଯାଞ୍ଚ କରିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ବିଧାନସଭା ସୁରକ୍ଷା ଦାୟିତ୍ବରେ ଜଣେ ଡିସିପିଙ୍କ ସମେତ ୬ଜଣ ଅତିରିକ୍ତ ଡିସିପି ପାହ୍ୟାର ଅଧିକାରୀ ନିୟୋଜିତ ରହିବେ । ଆଜି ପୂର୍ବାହ୍ନରେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଗୁଇନ୍ଦା ବିଭାଗ ଡି.ଆଇ.ଜି ଅନୁପ କୁମାର ସାହୁ, ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଓ ଟ୍ରାଫିକ୍ ଡିସିପି ଠାକୁର ପ୍ରସାଦ ପାତ୍ର ପ୍ରମୁଖ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ ।