‘ଆସନ୍ତା କାଲିର ଓଡିଆ ଭାଷା’; କଥିତ ଭାଷାରେ ପରିବର୍ତ୍ତନ ହୋଇଛି, ମୌଳିକତା ହଜିଛି

1 min read

ଭୁବନେଶ୍ବର: ଜାରି ରହିଛି ଆଲୋଚନା । ସାହିତ୍ୟ ଠାରୁ ସିନେମା, ଅର୍ଥନୀତି ଠାରୁ ରାଜନୀତି । ଜାତି ନନ୍ଦିଘୋଷ କନକ୍ଲେଭରେ ପ୍ରତିଟି ପ୍ରସଙ୍ଗରେ ଚାଲିଛି ତର୍କ- ବିତର୍କ । ପଞ୍ଚମ ଅଧିବେସନରେ ବିଷୟ ରହିଛି ‘ଆସନ୍ତା କାଲିର ଓଡିଆ ଭାଷା’। ଓଡିଆ ଭାଷାର ସୃଷ୍ଟି, ସାହିତ୍ୟ ଏବଂ କଥିତ ଭାଷାକୁ ନେଇ ଆଲୋଚନାରେ ମତ ରଖିଛନ୍ତି ଔପନ୍ୟାସିକ ବିଭୂତି ପଟ୍ଟନାୟକ, ବିଶିଷ୍ଟ କବି ଅପର୍ଣ୍ଣା ଦାସ ଏବଂ ସାହିତ୍ୟିକ ହରିହର ମିଶ୍ର ।

ଅତିବଡ଼ୀ ଜଗନ୍ନାଥ ଦାସଙ୍କ ପର ଠାରୁ ଏ ଭାଷା ଗ୍ରହଣୀୟ ହୋଇଛି । ଓଡିଆ ଭାଷା ନମନୀୟ । ସମସ୍ତ ଭାଷାକୁ ଗ୍ରହଣ କରି ସମୃଦ୍ଧ ହୋଇଛି । କିନ୍ତୁ ଓଡିଆ ଭାଷା ଏବଂ କଥିତ ଭାଷା ଭିତରେ ପ୍ରଭେଦ ରହିଛି । ଗଣମାଧ୍ୟମ ମିଡିଆ ଓଡିଆ ଭାଷାରେ ଅନ୍ୟ ଭାଷାକୁ ଭର୍ତ୍ତି କରୁଛନ୍ତି । ସେହିପରି ସଂସ୍କୃତ ଭାଷାର ଅପଭ୍ରଂଶ ହିଁ ଓଡିଆ ଭାଷା ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଔପନ୍ୟାସିକ ବିଭୂତି ପଟ୍ଟନାୟକ ।

ଭାଷାକୁ ପ୍ରେମ କରିବାକୁ ପଡିବ । ଏହି ପ୍ରେମ ବା ଭଲପାଇବା ପ୍ରତିଟି ବ୍ୟକ୍ତି ପରିବାରରୁ ଶିକ୍ଷାଗ୍ରହଣ କରିବାର ଆବଶ୍ୟକତା ରହିଛି । କଥିତ ଭାଷାରେ ପରିବର୍ତ୍ତନ ହେଉଛି, ଫଳରେ ମୌଳିକତା ହଜିଛି । ତାହାକୁ ଗ୍ରହଣ କରିବାକୁ ପଡିବ । ଓଡିଆ ଭାଷାକୁ ସମୃଦ୍ଧ କରିବାକୁ ହେଲେ ମୌଳିକତାକୁ ପ୍ରୟୋଗ କରିବାର ଆବଶ୍ୟକତା ରହିଛି । ବର୍ତ୍ତମାନ ଯୁବପୀଢୀଙ୍କ ମଧ୍ୟରେ ଓଡିଆ ଭାଷାକୁ ନେଇ ଆଗ୍ରହ ନାହିଁ । ତେଣୁ ଭାଷାକୁ ବଞ୍ଚାଇବାକୁ ହେଲେ ପ୍ରଥମେ ଆମେ ଓଡିଆ ଭାଷାକୁ ଭଲ ପାଇବାର ଆବଶ୍ୟକତା ରହିଥିବା କହିଛନ୍ତି ବିଶିଷ୍ଟ କବି ଅପର୍ଣ୍ଣା ଦାସ ।

ସେହିପରି ସାହିତ୍ୟିକ ହରିହର ମିଶ୍ର ମଧ୍ୟ ସମାନ କଥା ଦୋହରାଇଛନ୍ତି  । ବର୍ତ୍ତମାନର ଅଙ୍କଲ, ଆଣ୍ଟି, ଡାଡି, ମମି ଏ ଭାଷାକୁ କ୍ଷତି ପହଁଚାଇବାରେ ଲାଗିଛନ୍ତି  । ଓଡିଆ ଭାଷାକୁ କଳୁଷିତ କରାଯାଉଛି  କିନ୍ତୁ ଅନ୍ୟ ଭାଷାର ପ୍ରବେଶ ରହିବ  । ଏଥିରେ ବ୍ୟତିବ୍ୟସ୍ତ ହେବାରେ ନାହିଁ  । ତଥାପି ଓଡିଆ ଭାଷା ପ୍ରତି ପ୍ରଥମେ ଆମକୁ ଜାଗ୍ରୃତ ହେବାକୁ ପଡିବ  ବୋଲି କହିଛନ୍ତି ସାହିତ୍ୟିକ ହରିହର ମିଶ୍ର   ।

Leave a Reply