ବର୍ଷକ ୧୨ ମାସ କିନ୍ତୁ ଜିଓ-ଭିଆଇ-ଏୟାରଟେଲ୍ ଗ୍ରାହକଙ୍କଠାରୁ ଲୁଟୁଛନ୍ତି ୧୩ ମାସର ଟଙ୍କା

1 min read

ନୂଆଦିଲ୍ଲୀ: ମହଙ୍ଗା ହୋଇଛି ମୋବାଇଲ ସେବା । ବିଭିନ୍ନ ଟେଲିକମ୍ କମ୍ପାନୀ ସେମାନଙ୍କ ପ୍ରିପେଡ୍ ପ୍ଲାନ ବୃଦ୍ଧି କରିଛନ୍ତି । ଟେଲିକମ୍ କମ୍ପାନୀ ଏୟାରଟେଲ, ଭୋଡାଫୋନ-ଆଇଡିଆ ଏବଂ ଜିଓ ସେମାନଙ୍କ ପ୍ରିପେଡ୍ ପ୍ଲାନର ମୂଲ୍ୟ ବୃଦ୍ଧି କରିଛନ୍ତି । ନୂଆ ମୂଲ୍ୟ ଫଳରେ ଉପଭୋକ୍ତାଙ୍କୁ ମାସିକ ୨୦ରୁ ୫୦୧ ଟଙ୍କା ପର୍ଯ୍ୟନ୍ତ ଅଧିକ ଦେବାକୁ ପଡ଼ିବ। ବର୍ତ୍ତମାନ ସମୟରେ ସମସ୍ତ ଟେଲିକମ୍ ଉପଭୋକ୍ତାଙ୍କ ପାଇଁ ୪ଜି ଡାଟା, ଭଏସ କଲିଂ ଏବଂ ଏସଏମଏସ ଜରୁରୀ ଅଟେ । ତେବେ ସବୁଠାରୁ ବଡ଼ କଥା ହେଉଛି ଟେଲିକମ୍ କମ୍ପାନୀ ପ୍ରିପେଡ୍ ପ୍ଲାନର ମୂଲ୍ୟ ବୃଦ୍ଧି କରିବା ପରେ ମଧ୍ୟ ଏହାର ଭାଲିଡିଟି ଏକ ମାସ ପରିବର୍ତ୍ତେ ୨୮ ଦିନ ଦେଉଛନ୍ତି ।  ନୂଆ ମୂଲ୍ୟ ବୃଦ୍ଧି କରିବା ପରେ ଏହାର ଭାଲିଡିଟି ୨୮ ଦିନ ପରିବର୍ତ୍ତେ ୩୦ ଦିନ କରିବା ଦରକାର । ଯାହା ଦ୍ୱାରା ଉପଭୋକ୍ତାଙ୍କୁ ଆଶ୍ୱସ୍ତି ମିଳିବ ।

ବର୍ଷରେ କେବଳ ଫେବୃଆରୀ ମାସ ବ୍ୟତୀତ ଆଉ ସବୁ ମାସ ୩୦ ଓ ୩୧ ଦିନ ରହିଥାଏ । କିନ୍ତୁ ଟେଲିକମ୍ କମ୍ପାନୀ ଏକ ମାସ ବଦଳରେ ୨୮ଦିନର ପ୍ଲାନ ଦେଉଛନ୍ତି । ଯାହା ଫଳରେ ଗ୍ରାହକ ପ୍ରତି ବର୍ଷ ଅତିରିକ୍ତ ଏକ ମାସର ରିଚାର୍ଜ କରୁଛନ୍ତି । ୩୬୫ ଦିନକୁ ନେଇ ଏକ ବର୍ଷ ହୋଇଥାଏ । କିନ୍ତୁ ଟେଲିକମ୍ କମ୍ପାନୀ ୨୮ ଦିନକୁ ଏକ ମାସ ମାନୁଛି । ଯାହା ଫଳରେ ଏକ ବର୍ଷକୁ ୧୩ ମାସ ମାନୁଛି ଟେଲିକମ୍ କମ୍ପାନୀ । ଏପରି ସ୍ଥିତିରେ ଏୟାରଟେଲ, ଭୋଡାଫୋନ-ଆଇଡିଆ ଏବଂ ଜିଓ ୧୨ ମାସ ପରିବର୍ତ୍ତେ ଉପଭୋକ୍ତାଙ୍କଠାରୁ ୧୩ ମାସର ରିଚାର୍ଜ କରିଥାଏ ।

ନେଟଓ୍ୱାର୍କ ପ୍ରୋଭାଇଡର୍ସ କମ୍ପାନୀ ୧ ମାସ ବୃଦ୍ଧି କରି କୋଟି କୋଟି ଟଙ୍କା ଆଦାୟ କରୁଛନ୍ତି । ଭାରତରେ ମୋବାଇଲ ଉପଭୋକ୍ତା ପ୍ରତି ମାସରେ ୧୪୦ ଟଙ୍କାରୁ ଅଧିକ ଟଙ୍କାର ରିଚାର୍ଜ କରିଥାନ୍ତି । ଭାରତରେ ୪୨ କୋଟିରୁ ଅଧିକ ଲୋକ ଜିଓ ବ୍ୟବହାର କରୁଛନ୍ତି । ସେହିପରି ୩୫ କୋଟି ଉପଭୋକ୍ତା ଏୟାରଟେଲ ପାଖରେ ରହିଛି ଏବଂ ଭୋଡାଫୋନ ଆଇଡିଆ ପାଖରେ ରହିଛି ୨୮ କୋଟି ୟୁଜର୍ସ । ଯଦି ଜିଓର ମୋଟ ଉପଭୋକ୍ତାଙ୍କ ସହ ପ୍ରତିମାସରେ ୧୪୦ ଟଙ୍କା ହିସାବ କରିବା ତାହାଲେ ୪୨,୦୦,୦୦,୦୦୦*୧୪୦= ୫୮,୮୦,୦୦,୦୦,୦୦୦ ଟଙ୍କା ଅଧିକ ଆୟ କରିଥାଏ । ଏହି ପ୍ରକାରରେ ଏୟାରଟେଲ କଥା ଯଦି କହିବା ତାହାଲେ ୩୫,୦୦,୦୦,୦୦୦*୧୪୦= ୪୯,୦୦,୦୦,୦୦,୦୦୦ ଟଙ୍କା ଅଧିକ ଆୟ କରୁଛି । ସେହିପରି ଭୋଡାଫୋନ ଆଇଡିଆ କଥା କହିବା ତାହାଲେ ୨୮,୦୦,୦୦,୦୦୦*୧୪୦= ୩୯,୦୦,୦୦,୦୦,୦୦୦ ଟଙ୍କା ଅଧିକ ଆୟ କରିଥାଏ ।

ଏପର୍ଯ୍ୟନ୍ତ ପ୍ରିପେଡ ପ୍ଲାନର ଭାଲିଡିଟି ୨୮ ଦିନ ଠିକ୍ ଥିଲା । କିନ୍ତୁ ବିଭିନ୍ନ ଟେଲିକମ୍ କମ୍ପାନୀ ପ୍ରିପେଡ ମୂଲ୍ୟ ବୃଦ୍ଧି କରିବା ପରେ ୨୮ ଦିନ ଭାଲିଡିଟି ଥିବା ପ୍ଲାନକୁ ୩୦ ଦିନ କରିବା ଆବଶ୍ୟକ ଥିଲା।

Leave a Reply