ପୁନରୁଦ୍ଧାର ହୋଇପାରୁନି ବଲାଙ୍ଗୀର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗଡ଼ିଆଜୋର

ନନ୍ଦିଘୋଷ ବ୍ୟୁରୋ: ପୁନରୁଦ୍ଧାର ହୋଇପାରୁନି ବଲାଙ୍ଗୀର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗଡ଼ିଆଜୋର । ଦୀର୍ଘ ବର୍ଷ ଧରି ମାଟି, ପଙ୍କ କଢ଼ାନଯିବାରୁ ପାଣି ଦୂଷିତ ହେବା ସହ ବ୍ୟବହାର ଉପଯୋଗୀ ହେଉନି । ସ୍ଥାନୀୟ ଅଞ୍ଚଳର ଲୋକେ ଏହି ପାଣି ବ୍ୟବହାର କରିବା ଯୋଗୁ ବିଭିନ୍ନ ଚର୍ମ ରୋଗରେ ପଡ଼ୁଛନ୍ତି । ଏ ବର୍ଷ ଗ୍ରୀଷ୍ମ ଦିନରେ ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଉତ୍କଟ ଜଳ ସଂକଟ ଦେଖାଦେଲାଣି । ଖୋଦ ମୁଖ୍ୟମନ୍ତ୍ରୀ ଜଳସମ୍ପଦ ବିଭାଗ ଦାୟିତ୍ବରେ ଥାଇ ତ୍ବରିତ ପଦକ୍ଷେପ ନେଇନାହାନ୍ତି । ଜିଲ୍ଲା ପ୍ରଶାସନ ସବୁ ଜାଣି ନୀରବଦ୍ରଷ୍ଟା ସାଜୁଛି ।
କେଉଁଠି ନଈ ପୋଖରୀ ଶୁଖିଲା । ଆଉ କୋଉଠି ନଳକୂଅ ଓ ପାଣି ଟାଙ୍କି ଥିଲେ ବି ପାଣି ଆସୁନି । ପୋଖରୀ, ନଈ, ନାଳ ପୁନରୁଦ୍ଧାର ବି ହେଉନି । ଗ୍ରୀଷ୍ମ ଦାଉରେ ପାଣି ପାଇଁ ଲୋକେ ଡହଳବିକଳ । ସ୍ଥିତି ଏମିତି ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଉତ୍କଟ ଜଳସଂକଟ । ବଲାଙ୍ଗୀର ଗଡ଼ିଆଜୋର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପୁନରୁଦ୍ଧାର ନ ହେବାରୁ ଲୋକେ ନାହିଁ ନଥିବା ଦଶା ଭୋଗୁଛନ୍ତି । ପଙ୍କ ଓ ମାଟିରେ ପୋତି ହେଲାଣି ଗଡ଼ିଆଜୋର । ଜଳସମ୍ପଦ ବିଭାଗର ଉଦାସୀନତା ଯୋଗୁ ଲୋକେ ଗୋଳିଆ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଫଳରେ ନାନାଦି ଚର୍ମରୋଗରେ ପୀଡ଼ିତ ହୋଇଛନ୍ତି ଏହି ଜୋର ଉପରେ ନିର୍ଭର କରୁଥିବା ୭ରୁ ଅଧିକ ଗାଁ ଲୋକେ । ଖୋଦ ମୁଖ୍ୟମନ୍ତ୍ରୀ ଜଳ ସମ୍ପଦ ବିଭାଗ ଦାୟିତ୍ବରେ । ତଥାପି ତାଙ୍କ ବିଭାଗର ଅଧିକାରୀଙ୍କ ଅବହେଳା ଯେପରି ତାଙ୍କ ଆଖିକୁ ଦେଖାଯାଉନି ।
ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କନାବିରା ଗାଁରେ ୧୯୯୫ ମସିହାରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ଗଡିଆଜୋର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ । ୪୬୫ ହେକ୍ଟରରେ ବିରାଟକାୟ ଗଡିଆଜୋର ପ୍ରକଳ୍ପ ନିର୍ମାଣ ହୋଇଥିଲା । ୭ରୁ ଅଧିକ ଗାଁ ଲୋକେ ଉପକୃତ ହେବା ସହ ଖରିଫ ଓ ରବି ଋତୁରେ ଚାଷ କରୁଥିଲେ । ହେଲେ ଏବେ ପ୍ରକଳ୍ପଟି କାଦୁଅରେ ପୋତିହୋଇ ନଷ୍ଟ ହେବାକୁ ବସିଲାଣି । ବାରମ୍ବାର ଏ ନେଇ ସ୍ଥାନୀୟ ଲୋକେ ନେତା, ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ବି କିଛି ଫରକ ପଡ଼ିନି । ନନ୍ଦିଘୋଷ ଟିଭିର ଏ ନେଇ ଅନୁଧ୍ୟାନ କରିବା ପରେ ଖୁବଶୀଘ୍ର ପ୍ରକଳ୍ପର ପୁନରୁଦ୍ଧାର କରାଯିବା ବୋଲି କହିଛନ୍ତି ଜିଲ୍ଲାପାଳ ।