ମହାପ୍ରଭୁଙ୍କ ଗଜାନନ ବେଶ ଦେଖି ବିଭୋର ଶ୍ରଦ୍ଧାଳୁ

ପୁରୀ: ଭକ୍ତଙ୍କ ମେଳରେ ଭକ୍ତବତ୍ସଳ। ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ମହାବାହୁ। ଚତୁର୍ଦ୍ଧା ବିଗ୍ରହଙ୍କ ସ୍ନାନଯାତ୍ରା ଦେଖି ବିଭୋର ଶ୍ରଦ୍ଧାଳୁ । ଭକ୍ତି ଓ ଆବେଗରେ ଜନ ସମୁଦ୍ର ବଡ଼ଦାଣ୍ଡ। ଘଣ୍ଟ ଘଣ୍ଟା, ହୁଳହୁଳିରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର । ଜ୍ୟେଷ୍ଠ ପୂର୍ଣ୍ଣମୀରେ ଅନୁଷ୍ଠିତ ହୋଇଛି ଦାରୁଦିଅଁଙ୍କ ସ୍ନାନ ନୀତି । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୫ ଟା ୩୦ ରେ ମଙ୍ଗଳାର୍ପଣ ସରି ପୁଷ୍ପାଞ୍ଜଳି ଓ ଡୋର ଲାଗି ହୋଇ ଧାଡି ପହଣ୍ଡିରେ ସ୍ନାନମଣ୍ଡପକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି । ପରେ ମଦନମୋହନ ବିଜେ ହୋଇ ମଙ୍ଗଳଆଳତି, ମଇଲମ, ତଡପଲାଗି ନୀତି ସରିବା ପରେ ଅଧର ପୋଛା ନୀତି ସମ୍ପର୍ଣ୍ଣ ହୋଇଥିଲା । ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ପରେ ପୂର୍ବରୁ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ୧୦୮ ଗଡୁ ସୁବାସିତ ଜଳକୁ ଗରାବଡୁ ସେବକ ମାନେ ସ୍ନାନମଣ୍ଡପକୁ ବିଜେ କରାଇଥିଲେ । ଶ୍ରୀଜଗନ୍ନାଥଙ୍କୁ ୩୫ଗରା, ଶ୍ରୀବଳଭଦ୍ରଙ୍କୁ ୩୩ଗରା, ଦେବୀ ସୁଭଦ୍ରାଙ୍କୁ ୨୨ ଗରା ଏବଂ ସୁଦର୍ଶନଙ୍କୁ ୧୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା । ସ୍ନାନ, ମଇଲମ, ମେକାପ ସର୍ବାଙ୍ଗ, ନୂଆ ଲୁଗା ଲାଗି ଶେଷ ହୋଇ ଛେରାପହଁରା ପରେ ମହାପ୍ରଭୁ ଦୁର୍ଲ୍ଲଭ ହାତୀବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ନୀତିକାନ୍ତି ଶୃଙ୍ଖଳିତ ଓ ସୁରୁଖୁରୁରେ ସମ୍ପନ୍ନ ହୋଇଥିବାରୁ ମହାପ୍ରଭୁଙ୍କୁ କୃତଜ୍ଞତା ଜଣାଇଛନ୍ତି ସେବାୟତ।
ସ୍ନାନ ବେଦୀରେ ମହାପ୍ରଭୁଙ୍କ ସ୍ନାନ ନୀତି ଦେଖି ବିଭୋର ହୋଇଛନ୍ତି ଶ୍ରଦ୍ଧାଳୁ । ଏହାପରେ ରାଘବ ଦାସ ମଠ ପକ୍ଷରୁ ଯୋଗାଇ ଦିଆଯାଇଥିଲା ମହାପ୍ରଭୁଙ୍କ ହାତୀବେଶ । ଏହି ଦୁର୍ଲ୍ଲଭ ବେଶ ଦର୍ଶନ ପାଇଁ ଲୋକାରଣ୍ଯ ହୋଇଛି ଶ୍ରୀକ୍ଷେତ୍ର । ଅନ୍ୟପଟେ ଭିଡ଼କୁ ଦୃଷ୍ଟିର ରଖି ସହରକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇଥିବା ସହ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୭୦ ରୁ ପ୍ଲାଟୁନ ଫୋର୍ସ ସହ ୨୫୦ ଅଧିକ ଅଧିକାରୀ ମୁତୟନ ହୋଇଥିଲେ । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ଯାରିକେଡ ବ୍ଯବସ୍ଥା କରାଯାଇଥିବାବେଳେ କୌଣସି ଅପ୍ରିତିକର ପରିସ୍ଥିତି ଏଡାଇବାକୁ ସିସିଟିଭିରେ ନଜର ରଖିଥିଲା ପୋଲିସ ।
ସ୍ନାନମଣ୍ଡପରେ ୧୦୮ ଗରା ଜଳରେ ପ୍ରତକ୍ଷ ସ୍ନାନ ପରେ ଜ୍ବରରେ ପୀଡିତ ହେବେ ଚତୁର୍ଦ୍ଧା ମୂର୍ତ୍ତି । ଅଣସର ତାଟିରେ ଦଇତାପତି ସେବାୟତଙ୍କ ଦ୍ବାରା ଚାଲିବ ଗୁପ୍ତ ଉପଚାର । ଏପଟେ ଶ୍ରୀମନ୍ଦିରରେ ଦର୍ଶନ ଦେବେ ପଟିଦିଅଁ ।