ନନ୍ଦିଘୋଷ ବ୍ୟୁରୋ: ଗଜପତି ଜିଲ୍ଲାରେ ସ୍ଥାଣୁ ପାଲଟିଛି ସରକାରୀ କଳ । ଖାଲି ପଡିଛି ଅନେକ ଗୁରୁତ୍ଵପୂର୍ଣ୍ଣ ପଦପଦବୀ । ପ୍ରଶାସନିକ ଅଧିକାରୀଙ୍କ ଅନୁପସ୍ଥିତିରୁ ବିକାଶମୂଳକ କାମରେ ଉପୁଜୁଛି ବାଧା । ଜିଲ୍ଲାର କୋଣ ଅନୁକୋଣରୁ ଜିଲ୍ଲା କାର୍ଯ୍ୟାଳୟକୁ ଖର୍ଚ୍ଚାନ୍ତ ହୋଇ ଆସିବା ପରେ ହତାଶ ହୋଇ ଫେରୁଛନ୍ତି ଲୋକେ । ଖାଲି ଥିବା ଅଧିକାରୀଙ୍କ ପଦବୀ ପୂରଣ ଦିଗରେ ସରକାରଙ୍କ ନିଘା ନଥିବା ଅଭିଯୋଗ ହୋଇଛି।
ଗଜପତି ଜିଲ୍ଲାରେ ଦେଖାଦେଇଛି ଅଦ୍ଭୁତ ପ୍ରଶାସନିକ ଶୂନ୍ୟତା । ଗୁରୁତ୍ଵପୂର୍ଣ୍ଣ ବିଭାଗରେ ଖାଲି ପଡିଛି ଅନେକ ଗୁରୁତ୍ବପୂର୍ଣ୍ଣ ପଦବୀ । ବିକାଶମୂଳକ କାର୍ଯ୍ୟରେ ଉପୁଜୁଛି ବାଧା । ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାର ବହୁ ଗୁରୁତ୍ଵପୂର୍ଣ୍ଣ ବିଭାଗରେ ପ୍ରଶାସନିକ ଅଧିକାରୀ ପଦବୀ ଖାଲି ପଡିଛି । ଜିଲ୍ଲାପାଳ ମଧୁମିତା ଦୀର୍ଘଦିନ ଛୁଟିରେ ରହିବା ପରେ ଏବେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶଙ୍କର କେରେକେଟା ସ୍ଵାସ୍ଥ୍ୟଗତ ସମସ୍ୟାରୁ ଛୁଟିରେ ରହିଛନ୍ତି । ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପ୍ରାୟତଃ ନେତୃତ୍ୱ ଶୂନ୍ୟ ହୋଇ ରହିଛି । ଫଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ଫାଇଲ ଦସ୍ତଖତ ନହୋଇ ପଡି ରହିଛି । ସେହିଭଳି ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ, ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ, ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପଦବୀ ମଧ୍ୟ ଦୀର୍ଘ ବର୍ଷ ହେଲା ପୂରଣ ହୋଇପାରୁନି । ଭାରପ୍ରାପ୍ତ ଅଧିକାରୀ ଦୁଇରୁ ତିନୋଟି ଦାୟିତ୍ବରେ ରହି କାର୍ଯ୍ୟ ତୁଲାଉଛନ୍ତି । ଫଳରେ ଉନ୍ନୟନ ମୂଳକ କାର୍ଯ୍ୟରେ ମନ୍ଥରତା ଦେଖାଯିବା ସହ ଲୋକେ ହଇରାଣ ହେଉଛନ୍ତି ।
ବରିଷ୍ଠ ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ ଜିଲ୍ଲାର ଉନ୍ନୟନ କାର୍ଯ୍ୟ ସ୍ଥଗିତ ରହୁଛି । ଯାହାକୁ ନେଇ ନିର୍ବାଚିତ ଜନପ୍ରତିନିଧି ମାନେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ଯଥାଶୀଘ୍ର ପଦବୀଗୁଡ଼ିକ ପୂରଣ ଦିଗରେ ସରକାର ପଦକ୍ଷେପ ନେବାକୁ ଦାବି ହୋଇଛି । ଅନ୍ୟପଟେ ଭାରପ୍ରାପ୍ତ ଅଧିକାରୀଙ୍କ ଦ୍ବାରା ଜିଲ୍ଲାର ଉନ୍ନୟନ କାର୍ଯ୍ୟ ଜାରି ରହିଛି । ଯଥାଶୀଘ୍ର ଖାଲିଥିବା ପଦବୀ ପୂରଣ ହେବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ। ଜିଲ୍ଲାରେ କେବେ ଖାଲିଥିବା ଅଧିକାରୀଙ୍କ ପଦବୀ ପୂରଣ ହେବ ? ତାହା ଉପରେ ସମସ୍ତଙ୍କ ନଜର ରହିଛି ।

