ଏଣିକି ବର୍ଷସାରା ଚାଷ, ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଆଜି ଲୋକାର୍ପଣ

1 min read

ବରଗଡ: ଓଡ଼ିଶା ଜଳସେଚନ ଇତିହାସରେ ଆଉ ଏକ ସବୁଜ କ୍ରାନ୍ତି । ରବି ହେଉକି ଖରିଫ । ଏଣିକି ସବୁବେଳେ ଚାଲିବ ଚାଷ, ଜମି ହେବ ଶସ୍ୟ ଶ୍ୟାମଳା। ଆଜି ପୂରଣ ହେବ ବରଗଡ଼ବାସୀଙ୍କ ସ୍ବପ୍ନ । ବହୁପ୍ରତିକ୍ଷିତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଲୋକାର୍ପଣ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ବାରା ଚିରମରୁଡ଼ି ପ୍ରପୀଡ଼ିତ ବିଜେପୁର, ସୋହେଲା, ବରପାଲି ଓ ବରଗଡ଼ ବ୍ଲକ ସମେତ ସୋନପୁର ଜିଲ୍ଲାର ଡୁଙ୍ଗୁରୀପାଲି ବ୍ଲକରେ କ୍ଷେତକୁ ନିଶ୍ଚିତ ହେବ ଜଳଯୋଗାଣ। ଏଥିପାଇଁ ହୀରାକୁଦ, ତୁରଙ୍ଗା ଓ କନାପାଲିଠାରେ ତିନୋଟି ପମ୍ପହାଉସ ପ୍ରତିଷ୍ଠା ହୋଇଛି।

ପ୍ରକଳ୍ପରେ ୧୨୯ରୁ ଅଧିକ ଗାଁର ପ୍ରାୟ ୨୫ହଜାର ୬୦୦ ହେକ୍ଟର ଜମିରେ ପାଣି ପହଞ୍ଚିବ। ବିଜେପୁର ବ୍ଲକର ୭୭ଟି ଗାଁର ୧୫ ହଜାର ୨୦୦, ସୋହେଲା ବ୍ଲକର ୬ ହଜାର ୪୦୦, ବରପାଲି ବ୍ଲକର ୩ ହଜାର ୮୪୦ ସହ ବରଗଡ଼ ବ୍ଲକ ଏବଂ ଡୁଙ୍ଗୁରୀପାଲି ବ୍ଲକର ଆଂଶିକ ଅଞ୍ଚଳକୁ ଜଳସେଚନର ସୁବିଧା ଯୋଗାଇ ଦିଆଯିବ। ୨୦୧୯ ମସିହାରେ ଫେବ୍ରୁଆରୀରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବା ପରେ ୨୦୨୦ ସେପ୍ଟେମ୍ବରରେ କାମ ଆରମ୍ଭ ହୋଇଥିଲା ।

୧୨୭୫.୨୬କୋଟି ଟଙ୍କା ବିନିମୟରେ ରେକର୍ଡ ୩ବର୍ଷରେ ପ୍ରକଳ୍ପ କାମ ଶେଷ ହୋଇଛି। କେବଳ ଖରିଫ ଫସଲ ହେଉଥିବା ବେଳେ ଏହା ବର୍ଷା ଜଳ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲା। ତେବେ ବର୍ତ୍ତମାନ ବର୍ଷା ନ ହେଲେ ମଧ୍ୟ ଖରିଫ ସମୟରେ ଏବଂ ସମ୍ପୂର୍ଣ୍ଣ ଭାବରେ ଏଠାରେ ରବି ଚାଷ ମଧ୍ୟ ହୋଇପାରିବ। କେନାଲ ବଦଳରେ ପାଇପ ଯୋଗେ ଜଳଯୋଗାଣ ହେଉଥିବାରୁ ଧାନ ବ୍ୟତୀତ ଅନ୍ୟ ଫସଲ ମଧ୍ୟ ହୋଇପାରିବ। ଯାହାକି ଚାଷୀଙ୍କ ପାଇଁ ବରଦାନ ସାଜିବ। ଫାଇଭ-ଟି ଉପକ୍ରମରେ ଏହି ପ୍ରକଳ୍ପ ରେକର୍ଡ ସମୟରେ ପୂର୍ଣ୍ଣ ହୋଇଛି ।