କମିଶନରେଟ ପୋଲିସକୁ ବଡ଼ ସଫଳତା, ସ୍ପେଶାଲ ସ୍କ୍ୱାଡ କବଜାରେ ଗାଡି କାଚ ଭଙ୍ଗା ଗ୍ୟାଙ୍ଗ

ଭୁବନେଶ୍ୱର: କମିଶନରେଟ ପୋଲିସକୁ ବଡ଼ ସଫଳତା । ସ୍ପେଶାଲ ସ୍କ୍ୱାଡ କବଜାରେ ଗାଡି କାଚ ଭଙ୍ଗା ଗ୍ୟାଙ୍ଗ । ପଶ୍ଚିମବଙ୍ଗ ହୁଗୁଳି ଅଞ୍ଚଳର ୪ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସେମାନେ ହେଲେ ସୂର୍ଯ୍ୟା ମୁଦାଲିଆର, ରାହୁଲ ରାଓ, ଆଦିତ୍ୟ କଇଁରି, ଶଙ୍କର ସ୍ବାମୀ । ସେମାନଙ୍କଠାରୁ ୫୨ ହଜାର ଟଙ୍କା, ଭ୍ୟାନିଟି ବ୍ୟାଗ ଓ ଗାଡ଼ି କାଚ ଭାଙ୍ଗିବା ଅସ୍ତ୍ର ସହ ମୋବାଇଲ ଓ ଲାପଟପ ଜବତ କରିଛି ପୋଲିସ । କେବଳ ଭୁବନେଶ୍ୱରରେ ଏହି ଗ୍ୟାଙ୍ଗ ନାଁରେ ୧୦ଟି ମାମାଲ ରହିଛି । କ୍ୟାପିଟାଲ ଥାନାରେ ୫ଟି, ସହିଦ ନଗରରେ ୪ଟି ଓ ଖାରବେଳ ନଗର ଥାନାରେ ଗୋଟିଏ ମାମଲା ରହିଛି । ଏହାସହ କଟକ ମାଲଗୋଦାମ ଥାନା ଅଞ୍ଚଳରେ ମଧ୍ୟ ଗୋଟିଏ ମାମଲା ରହିଛି ।

ଗିରଫ ୪ ଜଣ ସମସ୍ତେ ପଶ୍ଚିମବଙ୍ଗରୁ ଆସି ଓଡ଼ିଶା, ବିହାର ଓ ତାମିଲନାଡ଼ୁ ଭଳି ରାଜ୍ୟରେ ବୁଲି ଚୋରି କରନ୍ତି । ଲଜରେ ରହି ଚୋରି କରନ୍ତି ଏବଂ ତାପରେ ସେଠାରୁ ଚମ୍ପଟ ମାରନ୍ତି । ପୂଜା ସମୟରେ ଓଡ଼ିଶା ଆସି କାରର କାଚ ଭାଙ୍ଗି ଚୋରି କରିଥିଲେ ଏହି ଗ୍ୟାଙ୍ଗ । ବାରମ୍ବାର ସ୍ଥାନ ପରିବର୍ତ୍ତନ ଯୋଗୁଁ ଏମାଙ୍କୁ ଧରିବା ଥିଲା କମିଶନରେଟ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ । ଗ୍ୟାଙ୍ଗର ଅନ୍ୟ ଅଭିଯୁକ୍ତ ଖୋଜିବ ପାଇଁ ପଶ୍ଚିମବଙ୍ଗ ଯିବ ପୋଲିସ । ଏହାସହ ଅନ୍ୟ ଜିଲ୍ଲା ପୋଲିସକୁ ସମସ୍ତ ଅଭିଯୁକ୍ତଙ୍କ ତଥ୍ୟ ଦେବ କମିଶନରେଟ ପୋଲିସ ।