୫ଦିନ ପରେ ତେଲେଙ୍ଗାନାରୁ ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ୍, ବାଇକରେ ଯାଉଥିବା ବେଳେ ମାଡିବସିଲା ପୋଲିସ

ଭୁବନେଶ୍ୱର: ଆଜି ଓଡ଼ିଶା ଫେରିବ ଗ୍ୟାଙ୍ଗଷ୍ଟର ହାଇଦର । କଟକରୁ ଫେରାର ହୋଇ ତେଲେଙ୍ଗାନାରୁ ଗିରଫ ପରେ ଆଜି ହାଇଦରକୁ ଭୁବନେଶ୍ୱର ଅଣାଯିବ । ଗତକାଲି ଗିରଫ ହୋଇଛି ଗ୍ୟାଙ୍ଗଷ୍ଟର ହାଇଦର । ହାଇଦର ଗିରଫ ହେବା ନେଇ ସୂଚନା ଦେଇଛନ୍ତି କମିଶନରେଟ ପୋଲିସ । ତେଲେଙ୍ଗାନା ପୋଲିସର ସହାୟତାରେ ସାଙ୍ଗାରେଡ୍ଡିରୁ ହାଇଦରକୁ ଗିରଫ କରାଯାଇଛି । ବାଇକରେ ଯାଉଥିବା ବେଳେ ମାଡିବସିଥିଲା ପୋଲିସ । ଭୁବନେଶ୍ୱରରେ ପହଞ୍ଚିବା ପରେ କୋର୍ଟରେ ହାଇଦରକୁ ହାଜର କରାଯିବ ।

 

ଓଡ଼ିଶା ଆଣିବା ପରେ ହାଇଦରକୁ ପଚରାଉଚରା କରାଯିବ । ସେ କିଭଳି ଏସସିବିରୁ ଖସିଲା, ଏହା ପଛରେ କାହାର ହାତ ରହିଛି , ଷଡଯନ୍ତ୍ର ହୋଇଥିଲା କି ସେ ନେଇ ପଚରାଉଚରା ହେବ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ହାଇଦର ଗିରଫ ହେବା ପରେ କମିଶନରେଟ୍ ପୋଲିସକୁ ସାବାସୀ ଦେଇଛନ୍ତି ପୋଲିସ ଡିଜି ଅଭୟ । ଟୁଇଟ୍ ଜରିଆରେ ପ୍ରଶଂସା କରିଛନ୍ତି ଡିଜିପି । ସେପଟେ ହାଇଦର ଗିରଫ ନେଇ ସୂଚନା ଦେଇଛନ୍ତି ହାଇଦ୍ରାବାଦ ପୋଲିସ କମିଶନର ଅଞ୍ଜନୀ କୁମାର । ହାଇଦ୍ରାବାଦର ଜହିରାବାଦରୁ ଗିରଫ ହୋଇଛି ହାଇଦର । ଦେଖିଲା ପରେ ହାଇଦରକୁ ମାଡି ବସିଥିଲା ତେଲେଙ୍ଗାନା ଟାସ୍କଫୋର୍ସ ।

ପାଟ୍ରୋଲିଂ କଡାକଡି କରିବା ସହ ସମସ୍ତ ପୋଲିସ ଆଲର୍ଟ ରହିଥିଲେ । ଏହା ପରେ ଧରା ପଡିଥିଲା ହାଇଦର୍ । ଗତ ୧୦ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଏସସିବିରୁ ଫେରାର ହୋଇଯାଇଥିଲା ହାଇଦର । ସୁରକ୍ଷାକର୍ମୀଙ୍କୁ ବେହୋସ୍ କରି ଫେରାର ହୋଇଯାଇଥିଲା ହାଇଦର । ଗ୍ୟାଙ୍ଗଷ୍ଟରକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା ଓଡ଼ିଶା ପୋଲିସ । ୫ ଦିନ ପରେ ହାଇଦରକୁ ଧରିବାରେ ସଫଳ ହୋଇଛି ପୋଲିସ ।

Leave a Reply