ଗ୍ୟାଙ୍ଗୱାର ହେବା ପୂର୍ବରୁ ଗ୍ୟାଙ୍ଗଷ୍ଟାରଙ୍କୁ ଧରିବାକୁ ତନାଘନା, ମୁଙ୍ଗେରରେ ତନାଘନା ଚଳାଇଛି STF
1 min read
ଭୁବନେଶ୍ୱର: ‘ଗ୍ୟାଙ୍ଗସ୍ ଅଫ ଗଞ୍ଜାମ’ ଗଢିବାକୁ ସ୍ୱପ୍ନ ଦେଖୁଥିଲା ଗ୍ୟାଙ୍ଗଷ୍ଟର । ମୁଙ୍ଗେର ମାଉଜରରେ ମୁଣ୍ଡ ଗଡାଇବାକୁ ଦେଖୁଥିଲା ସ୍ୱପ୍ନ। ଗଞ୍ଜାମକୁ ପୁଳାପୁଳା ବନ୍ଧୁକ ସପ୍ଲାଏ କରୁଥିଲା ଆଲୋକ ପ୍ରଧାନ । ପୋଲିସ ଫାଇଲରେ ମାଳ ମାଳ ହତ୍ୟାକାଣ୍ଡ । ଜମି ହଡ଼ପ, ଠିକାଦାରୀ, ବୋମାମାଡ଼, ଲୁଟ୍ ଆଉ ଦାଦାବଟି କେସ୍ । ଆସ୍କା ହଟିଆ ଜେନା, ଧରାକୋଟ ସୁବାସ ସାହୁ ହାଇ ପ୍ରୋଫାଇଲ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ । ଦୀର୍ଘଦିନ ଧରି ବିକ୍ରମ ମଲ୍ଲିକ ଜେଲରେ ରହିଥିବାରୁ ଆଲୋକ ତା ଜାଗା ନେବାକୁ ଜାଲ ବିଛାଇଥିଲା । ପୋଲିସ ଫାଇଲରେ ନିଖୋଜ ଏହି ମୋଷ୍ଟ ୱାଣ୍ଟେଡ୍ ଅପରାଧୀ । ଗ୍ୟାଙ୍ଗରେ ସାମିଲ ହେଉଥିବା ଯୁବକଙ୍କୁ ଗିଫ୍ଟ ଆକାରରେ ବନ୍ଧୁକ ବି ଦେଉଥିଲା । ଦାଦାବଟିର ସିଂହ ଭାଗ ନିଜେ ରଖି ବାକି ଟଙ୍କା ସହଯୋଗୀଙ୍କୁ ଟେକି ଦେଉଥିଲା । ମୁଙ୍ଗେରରେ ବସି, ଗଞ୍ଜାମରେ ଗ୍ୟାଙ୍ଗୱାର କରିବାକୁ ବଡ଼ ଯୋଜନା ବି କରିଥିଲା । ଆଉ ଗଞ୍ଜାମ ପାଇଁ ଡାହାଣ ହାତ କୁହାଯାଉଥିବା ଶିବ ଜେନାକୁ ଦାୟିତ୍ୱ ଦେଇଥିଲା । ୧୮ ଅଭିଯୁକ୍ତଙ୍କୁ ୨୦ ବନ୍ଧୁକ ଗିଫ୍ଟ କରିବା ପରେ, ସାମନାକୁ ଆସିଛି ମେଡ୍ ଇନ୍ ମୁଙ୍ଗେର କାହାଣୀ ।
ସେପଟେ ବୟାଳିଶମୌଜାର ବନ୍ଧୁକ ଗଞ୍ଜାମରୁ ମିଳିବା ପରେ, ସ୍ପେଶାଲ ଟାସ୍କ ଫୋର୍ସର ଅକଲ ଗୁଡୁମ । ଓଡ଼ିଶାର ନୟାଗଡ଼, କେନ୍ଦ୍ରାପଡ଼ା, ପୁରୀ ଭଳି ଜିଲ୍ଲା ସମେତ ୭ ସହରକୁ ଯାଇଛି ବନ୍ଧୁକ । ତେବେ ସାରା ରାଜ୍ୟକୁ ବନ୍ଧୁକ ଯୋଗାଇବା ସହ ବନ୍ଧୁକ ଚାଲାଣ ପାଇଁ ବୟାଳିଶମୌଜାରେ କାରଖାନା ତିଆରି କରାଯାଇଥିବାର ଆଭାସ ପାଇଛି ଏସଟିଏଫ୍ । ଆଲୋକକୁ ଧରିଲେ ଅନେକ ସଙ୍ଗିନ ତଥ୍ୟ STF ହାତରେ ଲାଗିପାରେ । ଯେଉଁଥିପାଇଁ ମୁଙ୍ଗେର ଗସ୍ତ କରିଛି STF ।