spot_img

Latest Posts

ଠିକାଦରଙ୍କ ବେପରୁଆ ମନୋଭାବ ଯୋଗୁଁ ଅଧାରେ ଅଟକିଛି ରାସ୍ତା କାମ

ନନ୍ଦିଘୋଷ ବ୍ୟୁରୋ: ଠିକାଦରଙ୍କ ବେପରୁଆ ମନୋଭାବ ଯୋଗୁଁ ଅଧାରେ ଅଟକିଛି ରାସ୍ତା କାମ । ଅବଧି ସରିଯାଇଥିଲେ ମଧ୍ଯ ଗଞ୍ଜାମ ଜିଲ୍ଲାର ଆର୍ଯ୍ୟପଲ୍ଲୀ ଠାରୁ ନାରାୟଣପୁର ପର୍ଯ୍ଯନ୍ତ ରାସ୍ତା କାମ ମାତ୍ର ୫୦ ପ୍ରତିଶତ ସରିଛି । ହେଲେ ବିଭାଗୀୟ ଅଧିକାରୀ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରୁନାହାଁନ୍ତି । ଯାହାକୁ ନେଇ ତେଜିଛି ଅସନ୍ତୋଷ ।

ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଆର୍ଯ୍ଯପଲ୍ଲୀ ଠାରୁ ନାରାୟଣପୁର ପର୍ଯ୍ଯନ୍ତ ରାସ୍ତାର ଦୃଶ୍ଯ । ପ୍ରାୟ ୧୦ କିଲୋମିଟର ରାସ୍ତାର ପ୍ରଶସ୍ତିକରଣ ପାଇଁ ୧୫ କୋଟି ଟଙ୍କାର ବ୍ଯୟ ଅଟକଳ କରିଥିଲେ ପୂର୍ବ ସରକାର । ଏଥିପାଇଁ ଟେଣ୍ଡର ଆହ୍ବାନ କରାଯାଇ ୨୦୨୨- ୨୩ରୁ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ବର୍ଷକ ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସମୟ ଧାର୍ଯ୍ଯ କରାଯାଇଥିଲା । ହେଲେ ଅବଧି ସରିଯାଇଥିଲେ ମଧ୍ଯ ଏପର୍ଯ୍ଯନ୍ତ କେବଳ ୫୦ ପ୍ରତିଶତ କାମ ହୋଇଛି । ଅବଶିଷ୍ଟ କାମ କେବେ ସରିବ ତାହା ସ୍ପଷ୍ଟ ହୋଇପାରିନାହିଁ । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧୁଥିବା ବେଳେ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ସଜବାଜ ହେଉଛନ୍ତି।

ବର୍ତ୍ତମାନ ହରିପୁର ଛକ ଠାରୁ ବାସନାପୁଟି ପର୍ଯ୍ୟନ୍ତ ରାସ୍ତା କାମ ଚାଲିଥିବା ବେଳେ ସମ୍ପୃକ୍ତ ରାସ୍ତାକୁ ସମ୍ପୂର୍ଣ୍ଣ ଖୋଳି ଦିଆଯାଇଛି। ଯାହା ଅଞ୍ଚଳବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଏହି ରାସ୍ତା ହେଉଛି ଗୋପାଳପୁର ପୋର୍ଟ ପର୍ଯ୍ଯନ୍ତ ଯିବାକୁ ମୁଖ୍ଯ ରାସ୍ତା । ଏହା ଉପରେ ପାଖାପାଖି ୧୦ ଗୋଟି ପଞ୍ଚାୟତର ଲୋକେ ନିର୍ଭରଶୀଳ । ହେଲେ ରାସ୍ତାକୁ ଖୋଳି ଦିଆଯାଇଥିବାରୁ ଦୁର୍ଘଟଣା ଘଟିବା ସହିତ ଯାନବାହାନ ନଷ୍ଟ ହେଉଥିବା ଅଭିଯୋଗ ହୋଇଛି । ସେପଟେ ରାସ୍ତା କାମରେ ବିଳମ୍ବ ଘଟିଥିବା ନେଇ ସ୍ଵୀକାର କରିଛନ୍ତି ଛତ୍ରପୁର ପୂର୍ତ୍ତବିଭାଗ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ । ଏନେଇ ସମ୍ପୃକ୍ତ ଠିକାଦାରଙ୍କୁ ବିଭିନ୍ନ ସ୍ତରରେ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୧୦ ରୁ ୧୨ ଥର ନୋଟିସ ଜାରି କରାଯାଇଥିବା ନେଇ ସେ କହିଛନ୍ତି ।

 

Latest Posts

Don't Miss