ଟମାଟୋ କିଲୋ ପିଛା ୨ ଟଙ୍କାରୁ ୩ ଟଙ୍କାରେ ବିକ୍ରୀ

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲାରେ ଟମାଟୋର ଅଭାବୀ ବିକ୍ରୀ । ଟମାଟୋ କିଲୋ ପିଛା ୨ ଟଙ୍କାରୁ ୩ ଟଙ୍କାରେ ବିକ୍ରୀ ହେଉଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ କୂଳ । ବଜାରରେ ଟମାଟୋ କିଲେ ପିଛା ୧୫ ଟଙ୍କା ରହିଥିବା ବେଳେ ଚାଷୀଙ୍କ ଠାରୁ ୨ ରୁ ୩ ଟଙ୍କାରେ କିଣୁଛନ୍ତି ବ୍ୟବସାୟୀ । ଲେବର, ପେଷ୍ଟିସାଇଡ୍ ଖର୍ଚ୍ଚ ସହିତ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଉଥିବା ବେଳେ ପାରିଶ୍ରମିକ ମିଳୁନାହିଁ । ଅନେକ ଚାଷୀ ଟମାଟୋକୁ ନତୋଳି ଚାଷ ଜମିରେ ଛାଡ଼ି ଦେଉଛନ୍ତି । ହେକ୍ଟର ହେକ୍ଟର ଚାଷ ଜମିରେ ଟମାଟୋ ସେଭଳି ପଚିସଢ଼ି ନଷ୍ଟ ହେଉଥିବା ଦେଖିବାକୁ ମିଳିଛି ।
ଗଞ୍ଜାମ ଜିଲ୍ଲା ଡିଆଁଡ଼େଇଁ ଗାଁରୁ ଆସିଛି ଏଭଳି ଦୃଶ୍ୟ । ଜିଲ୍ଲାର ମଧୁରଚୁଆ, ସିପକୁଦା, ଶ୍ରୀରାମଚନ୍ଦ୍ରପୁର, ହରିପୁର, କଣ୍ଟପଡ଼ା ଭଳି ଅନେକ ଗାଁରେ ଚଳିତ ବର୍ଷ ଟମାଟୋ ଚାଷ ଭଲ ହୋଇଛି । ଗତ କିଛି ଦିନ ପୂର୍ବରୁ ଟମାଟୋ କିଲୋ ପିଛା ୧୫ରୁ ୨୦ ଟଙ୍କାରେ ବିକ୍ରି ହେଉଥିଲା । ହଠାତ୍ ଦର ଖସି ଯିବାରୁ ଏବେ ୨ରୁ ୩ ଟଙ୍କାରେ ବିକ୍ରି ହେଉଛି ଟମାଟୋ । ପାରିଶ୍ରମିକ ମିଳୁନଥିରୁ ହେକ୍ଟର ହେକ୍ଟର ଜମିରେ ଟମାଟୋକୁ ଛାଡ଼ି ଦେଉଛନ୍ତି ଚାଷୀ । ଚାଷ କାର୍ଯ୍ୟ ପାଇଁ ଲେବର, ପେଷ୍ଟିସାଇଡ୍ ଖର୍ଚ୍ଚ ସହିତ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇବାରେ ଲାଗିଛି । ଏକର ପିଛା ଟମାଟୋ ଚାଷ ପାଇଁ ପ୍ରାୟ ୩୦ରୁ ୪୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଟମାଟୋ ତୋଳି ବଜାରକୁ ବିକ୍ରି ପାଇଁ ନେଲେ ପାରିଶ୍ରମିକ ମିଳୁନାହିଁ । କିପରି ଋଣ ଶୁଝିବେ ଓ ପରିବାର ପ୍ରତିପୋଷଣ କରିବେ ସେଇ ଚିନ୍ତାରେ ଚାଷୀ ।
ଗଞ୍ଜାମ ସଦର ବ୍ଲକ ଅଞ୍ଚଳର ଚାଷୀ ଋଣ କରି ଟମାଟୋ ଚାଷ କରିଥିଲା ଚାଷୀ । ସାର ଓ ପେଷ୍ଟିସାଇଡ୍ ଦର ବୃଦ୍ଧି ପାଇଥିବା ବେଳେ ଟମାଟୋ ତୋଳିବାକୁ ପଡୁଥିବା ପାରିଶ୍ରମିକ ମଧ୍ୟ ଉଠୁନାହିଁ । ପ୍ରତି ବର୍ଷ ଏହି ସମୟରେ ପ୍ରଚୁର ପରିମାଣରେ ଟମାଟୋ ଉତ୍ପାଦନ ହୋଇଥାଏ । ତେବେ ସଂରକ୍ଷଣ କରି ରଖିବାକୁ ଶୀତଳ ଭଣ୍ଡାର ସୁବିଧା ନଥିବାରୁ ପ୍ରତି ବର୍ଷ ଏହିପରି ଅଭାବୀ ବିକ୍ରିର ଶିକାର ହୋଇଥାନ୍ତି ଚାଷୀ । ଟମାଟୋ ନତୋଳି ଚାଷ ଜମିରେ ଛାଡ଼ି ଦେଉଥିବାରୁ ଟମାଟୋ ଚାଷ ଜମିରେ ପଡ଼ି ପଚିସଢ଼ି ଯାଉଛି । ଟମାଟୋ ସହିତ ଅନ୍ୟାନ୍ୟ ପନିପରିବା ଚାଷ କରି ପରିବାର ପୋଷିବା କଷ୍ଟକର ହେଉଥିବା ବେଳେ ବର୍ତ୍ତମାନ ବାଧ୍ୟ ହୋଇ ଦାଦନ ଖଟିବା ନିମନ୍ତେ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ବୋଲି କହିଛନ୍ତି ଚଷା ପୁଅ । ଚାଷ କାର୍ଯ୍ଯ ପାଇଁ ସାର ଓ ଔଷଧ ରିହାତି ଦରରେ ଯୋଗାଇ ଦେବା ସହିତ ଶୀତଳଭଣ୍ଡାର ବ୍ୟବସ୍ଥା କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ଚାଷୀ ।
ଗଞ୍ଜାମ ବ୍ଳକରେ ବହୁଳ ଭାବେ ଟମାଟୋ ସହିତ ପନିପରିବା ଚାଷ ହୋଇଥାଏ । ଏଠାରୁ ବାହାର ଜିଲ୍ଲା ଓ ପୋଡ଼ଶୀ ରାଜ୍ୟକୁ ପନିପରିବା ରପ୍ତାନୀ କରାଯାଇଥାଏ । ତେଣୁ ଚାଷୀଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଶୀତଳଭଣ୍ଡାର ସୁବିଧା କରାଗଲେ ଅଧିକରୁ ଅଧିକର ଚାଷୀ ପନିପରିବା ଫସଲ ପାଇଁ ଆଗ୍ରହୀ ହେବେ ।