ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ହେବ ହୋମ୍ ଭୋଟିଂ ବ୍ୟବସ୍ଥା

ଭୁବନେଶ୍ୱର: ଯେଉଁଠି ଡ୍ୟୁଟି, ସେଇଠି ଭୋଟିଂ ସୁବିଧା। ୨୦୨୪ ସାଧାରଣ ନିର୍ବାଚନରେ ପୋଲିଂ କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ଖୁସି ଖବର। ଦିବ୍ୟାଙ୍ଗ, ୮୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଓ ଗୁରୁତର ରୋଗୀଙ୍କ ପାଇଁ ହୋମ୍ ଭୋଟିଂ ବ୍ୟବସ୍ଥା। ଜାନୁଆରୀ ୨୫, ଜାତୀୟ ଭୋଟର ଦିବସ ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି।

ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବାର ସମ୍ଭାବନା ରହିଛି। ୧୪୭ ବିଧାନସଭା ଓ ୨୧ ଲୋକସଭାରେ ପ୍ରାୟ ୩୭ହଜାର ୬୦୦ ବୁଥ୍ ଥିବା ବେଳେ ଏଥିପାଇଁ ଆବଶ୍ୟକୀୟ ଇଭିଏମ୍ ଓ ଭିଭିପାଟ ମହଜୁଦ ରହିଛି। ପୋଲିଂ କର୍ମଚାରୀଙ୍କ ପ୍ରଶିକ୍ଷଣ ସରିଛି। ସବୁ ପ୍ରକାରର ପ୍ରସ୍ତୁତି ସରିଥିବା ବେଳେ ଓଡ଼ିଶା ଗସ୍ତରେ ମୁଖ୍ୟ ନିର୍ବାଚନ କମିଶନ ଖୁବ୍ ଶୀଘ୍ର ଆସିବେ। ୨୦୧୯ରେ ଓଡ଼ିଶାରେ ୭୨.୯୨% ଭୋଟିଂ ହୋଇଥିବା ବେଳେ ୨୦୨୪ରେ ଏହା ବୃଦ୍ଧି କରିବା ଲକ୍ଷ୍ୟ ରହିଛି। ସମସ୍ତଙ୍କ ଫୋକସ ରହିଛି ଯୁବ ଭୋଟରଙ୍କ ଉପରେ।

ଜାତୀୟ ଭୋଟର ଦିବସ ପାଇଁ ସଚେତନତା ଶୋଭାଯାତ୍ରା ସହ ବିଭିନ୍ନ ପ୍ରତିଯୋଗିତା ହୋଇଛି। ଅଧିକ ଲୋକଙ୍କୁ ଭୋଟର ତାଲିକାରେ ସାମିଲ କରିଥିବାରୁ ଗଜପତି, ସୋନପୁର, ବଲାଙ୍ଗୀର ଜିଲ୍ଲାପାଳଙ୍କୁ ସମ୍ମାନିତ କରାଯାଇଛି। ୧୯୫୨ ମସିହା ଦେଶର ପ୍ରଥମ ନିର୍ବାଚନ ପରଠାରୁ ପ୍ରତି ନିର୍ବାଚନରେ ସଂସ୍କାର ଅଣାଯାଇଥିବା ବେଳେ ୨୦୨୪ରେ ମଧ୍ୟ ମତଦାନ ସହଜ ଓ ସରଳ କରିବାକୁ ଉଦ୍ୟମ ଜାରି ରହିଛି। ତୃତୀୟ ଲିଙ୍ଗୀମାନଙ୍କୁ ଭୋଟର ତାଲିକାରେ ସାମିଲ କରାଯିବା ସହ ଏମାନଙ୍କୁ ବ୍ରାଣ୍ଡ ଆମ୍ବାସଡ଼ର କରି ସମାଜକୁ ଭିନ୍ନ ବାର୍ତ୍ତା ଦେଇଛନ୍ତି ଆୟୋଗ।