ଏଣିକି ଚୁଟ୍‌କିରେ ପାସ୍‌ପୋର୍ଟ ଭେରିଫିକେସନ୍‌, ଓଡ଼ିଶା ପୋଲିସ ଆଣିଲା mPolice ଆପ୍‌

1 min read

ଭୁବନେଶ୍ୱର: ଏଣିକି ଆଉ ପାସ୍‌ପୋର୍ଟ ଭେରିଫିକେସନ୍‌ ପାଇଁ ଦଉଡ଼ିବାକୁ ପଡ଼ିବନି ପୋଲିସ ଷ୍ଟେସନ୍‌ । କାରଣ ଏବେ ଆସିଯାଇଛି mPolice ମୋବାଇଲ୍‌ ଆପ୍‌ । ଯାହାକି ସିଧାସଳଖ ପାସ୍‌ପୋର୍ଟ କେନ୍ଦ୍ର ସହ କନେକ୍ଟ ରହିବ । ସୋମବାର ଏହି ଆପ୍‌କୁ ଓଡ଼ିଶା ପୋଲିସ ପକ୍ଷରୁ ଲଞ୍ଚ କରାଯାଇଛି । ରାଜ୍ୟ ସରକାରଙ୍କ 5T ଯୋଜନାର ଏହା ଆଉ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଇପାରେ । ଏବେ ପାସ୍‌ପୋର୍ଟ ଭେରିଫିକେସନ୍‌ ପାଇଁ ଆଉ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଏହି ଆପ୍‌ ଲୋକଙ୍କ ପାଇଁ ବେଶ ସହାୟକ ହେବ ।

ପୂର୍ବରୁ ପାସ୍‌ପୋର୍ଟ ଭେରିଫିକେସନ୍‌ ପାଇଁ ଏସ୍‌ କିମ୍ବା ଡିଏସ୍‌ପି ଅଫିସ୍‌କୁ ଆବେଦନ ଫର୍ମ ପଠାଯାଉଥିଲା । ସେଠାରେ ଯାଇ ଉକ୍ତ ବ୍ୟକ୍ତି ପହଞ୍ଚିବା ପରେ ପୋଲିସର ବିଶ୍ୱାସ ହେଉଥିଲା । ଆଉ ତାପରେ ଫାଇଲ୍‌ ଆଗକୁ ଯାଉଥିଲା । ଏହି ସମସ୍ତ ପ୍ରକ୍ରିୟା ପାଇଁ ୧୫ ଦିନରୁ ବି ଅଧିକ ସମୟ ଲାଗୁଥିବା ଦେଖାଯାଉଛି । ତେବେ ଏଣିକି ଏହି ସବୁ ପ୍ରକ୍ରି୍ୟା ଶେଷ କରିବା ପାଇଁ ଆଉ ସମୟ ଲାଗିବ ନାହିଁ । ଏହି ଆପ୍‌ ଦ୍ୱାରା ତୁରନ୍ତ ଭେରିଫିକେସନ୍‌ ହୋଇପାରିବ ।

ଏହି ଯୋଜନା ଅଧିନରେ ପ୍ରାୟ ପୋଲିସ ଷ୍ଟେସନ୍‌କୁ ଗୋଟିଏ ଲେଖାଏଁ ଟାବ୍‌ଲେଟ୍‌ ଦିଆଯାଇଛି । ଏଭଳି ପ୍ରାୟ ୫୫୩ ପୋଲିସ ଷ୍ଟେସନ୍‌କୁ ଟାବ୍ଲେଟ୍‌ ଦିଆଯାଇଛି । ଯେଉଁଥିରେ ଲୋକଙ୍କ ସେବା ସହ ଜଡ଼ିତ ଏଭଳି ଆପ୍‌ ଗୁଡ଼ିକ ଇନ୍‌ଷ୍ଟଲ ରହିବ । ଆଉ ଜନସାଧାରଣଙ୍କୁ ତୁରନ୍ତ ସେବା ଯୋଗାଇ ଦିଆଯାଇପାରିବ । ସୋମବାର ଏକକାଳିନ ୧୦୦ ଟି ପୋଲିସ ଷ୍ଟେସନ୍‌ରେ ଏହି ଯୋଜନା ଆରମ୍ଭ କରାଯାଇଛି । ବାକିଥିବା ପୋଲିସ ଷ୍ଟେସନ ଗୁଡ଼ିକରେ ୨୫ ମାର୍ଚ୍ଚ ସୁଦ୍ଧା ଏହି ଯୋଜନା ଆରମ୍ଭ ହେବ ବୋଲି ସ୍ଥିର କରାଯାଇଛି ।

Leave a Reply