ମୁଖ୍ଯମନ୍ତ୍ରୀଙ୍କ ଜିଲ୍ଲାରେ ଜୁଆଙ୍ଗ ଜନଜାତି ପାଇଁ ସ୍ଵପ୍ନ ପାଲଟିଛି ପ୍ରଧାନମନ୍ତ୍ରୀ ଆବାସ ଗୃହ
1 min read
ନନ୍ଦିଘୋଷ ବ୍ୟୁରୋ: ଜୁଆଙ୍ଗ ଜନଜାତିଙ୍କ ପାଇଁ ସ୍ଵପ୍ନ ପାଲଟିଛି ପ୍ରଧାନମନ୍ତ୍ରୀ ଆବାସ ଗୃହ । ତା ପୁଣି ଖୋଦ ମୁଖ୍ଯମନ୍ତ୍ରୀଙ୍କ ଜିଲ୍ଲାରେ । କାର୍ଯ୍ୟାଦେଶରେ ୪ ବର୍ଷ ପରେ ବି ଅଧପନ୍ତରିଆ ଅବସ୍ଥାରେ ପଡିରହିଛି ୪୦ରୁ ଉର୍ଦ୍ଧ୍ଵ ଘର କାମ । ନିୟୋଜିତ ହୋଇଥିବା ଠିକାସଂସ୍ଥା କାମ ସଂପୂର୍ଣ୍ଣ ନକରି ଟଙ୍କା ନେଇ ଛୁ ମାରିଛନ୍ତି । ଫଳରେ ଭଙ୍ଗା ଦଦରା ଘରେ ଜୀବନ ବିତାଉଛନ୍ତି ହିତାଧିକାରୀ ।
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ନ୍ୟାୟ ଅପେକ୍ଷାରେ ଜୁଆଙ୍ଗ ଜନଜାତି । ପିଏମ୍ ଆବାସ ଘର ନିର୍ମାଣ ସମ୍ପୂର୍ଣ୍ଣ ନ କରି ଛୁ ମାରିଛି ଠିକା ସଂସ୍ଥା । ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଗୟଳମୁଣ୍ଡା ଗାଁରୁ । ଏବେ ଭଙ୍ଗା ଘରେ ଦିନ କାଟୁଛନ୍ତି ୪୦ରୁ ଉର୍ଦ୍ଧ୍ବ ଜୁଆଙ୍ଗ ହିତାଧିକାରୀ ପରିବାର । ମୁଣ୍ଡ ଉପରେ କୋଠାଘର ଖଣ୍ଡେ ରହିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୨୨-୨୩ ଓ ୨୦୨୩-୨୪ରେ ମିଳିଲା କାର୍ଯ୍ୟାଦେଶ । ପ୍ରଶାସନର ସୁପାରିସରେ ନିଯୁକ୍ତ ହେଲେ ଠିକାଦାର । ହିତାଧିକାରୀଙ୍କ ଦସ୍ତଖତ ନେଇ ଠିକାଦାର ଦୁଇରୁ ତିନିଟି କିସ୍ତି ଟଙ୍କା ମଧ୍ୟ ଉଠାଇନେଇଛନ୍ତି । କିିନ୍ତୁ ଘର ନିର୍ମାଣ ଅଧପନ୍ତରିଆ କରି ଛାଡ଼ି ପଳାଇଛନ୍ତି । ଏବେ ଭଙ୍ଗା ଦଦରା ଘରେ ଜୀବନ ବିତାଉଛନ୍ତି ଆଦିମ ଜନଜାତି ।
ଗୟଳମୁଣ୍ଡା ଗାଁ ଚତୁପାର୍ଶ୍ଵରେ ଘଞ୍ଚ ଜଙ୍ଗଲ ପାହାଡ ଘେରି ରହିଛି । ଗାଁ ଭିତରକୁ ହାତୀ, ଭାଲୁ ଓ ବିଭିନ୍ନ ବନ୍ନ୍ୟଜନ୍ତୁ ପଶି ଆସୁଥିବାରୁ ଆତଙ୍କିତ ଅବସ୍ଥାରେ ଲୋକେ । ଭଙ୍ଗା ଦଦରା ଘରେ ରହୁଥିବାରୁ ଜୀବନ ପ୍ରତି ବିପଦ ରହିଛି । ସମସ୍ୟା ନେଇ ହିତାଧିକାରୀ ପଞ୍ଚାୟତ ଠାରୁ ବ୍ଲକ ଯାଏଁ ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନାହିଁ । ଜନଜାତିଙ୍କ ଦୁର୍ଦ୍ଦଶା ପ୍ରତି ମଧ୍ୟ ସ୍ଥାନୀୟ ପ୍ରଶାସନ ଚୁପ ।