୧୨ ବର୍ଷୀୟ କନିଆଁଙ୍କୁ ୨୨ ବର୍ଷର ବର; ବାହାଘର ଚାଲିଥିବା ବେଳେ ଉଠାଇନେଲା ପୋଲିସ

ଭୁବନେଶ୍ବର: ଭୁବନେଶ୍ବରରେ ନାବାଳିକାଙ୍କୁ ଜବରଦସ୍ତ ବିବାହ କରାଯାଉଥିବା ଅଭିଯୋଗ। ୧୨ ବର୍ଷୀୟ ନାବାଳିକାଙ୍କୁ ବିବାହ କରୁଥିଲେ ୨୨ ବର୍ଷୀୟ ଯୁବକ। କୁଆଖାଇ ନଦୀକୂଳ ତାରିଣୀ ମନ୍ଦିରରେ ବିବାହ ଚାଲିଥିବାବେଳେ ବାହାଘରକୁ ବନ୍ଦ କରିବା ସହିତ ବରକୁ ଉଠାଇ ନେଇଛି ମଞ୍ଚେଶ୍ବର ଥାନା ପୋଲିସ।

ନାବାଳିକାର ବିବାହ ହେବା ସମୟରେ ସ୍ଥାନୀୟ ଲୋକ ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଉଭୟ ଝିଅ ଓ ବରଘର ପରିବାରଙ୍କୁ ପଚରାଉଚରା କରୁଛି । ସେପଟେ ଏନେଇ ଚାଇଲଡ ଲାଇନ ପକ୍ଷରୁ ଏକ କେସ୍ ରୁଜୁ କରାଯାଇଛି । ଖବର ପାଇ ସିଡିପିଓ, ବିଏମସି ଓ ରୁଚିକା ସମାଜମଙ୍ଗଳ ସଂଗଠନର କର୍ମକର୍ତ୍ତା ମାନେ କୁଆଖାଇ ନଦୀ ପଠାରେ ଥିବା ରାଧାକୃଷ୍ଣ ମନ୍ଦିରଠାରେ ଏହି ବାଲ୍ୟ ବିବାହକୁ ରୋକିଛନ୍ତି।

ଜୋରଜବରଦସ୍ତ ବାଲ୍ୟ ବିବାହ ନେଇ ପ୍ରମାଣ ମିଳିବା ପରେ ବାଲ୍ୟବିବାହ ନିରୋଧ ଆଇନ ଧାରା ୯, ୧୦, ୧୧ ଅନୁସାରେ ଅପରାଧୀକ ମାମଲା ରୁଜୁ କରାଯାଇଛି। ତଦନ୍ତବେଳେ ଜଣାପଡ଼ିଛି ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ନାବାଳିକା ଜଣକୁ ଗଞ୍ଜାମ ଗୋଳନ୍ଥରା ଅଞ୍ଚଳର ୨୨ ବର୍ଷର ଯୁବକ ବଳପୂର୍ବକ ବିବାହ କରୁଥିଲେ । କନ୍ୟା ନାବାଳିକା ହୋଇଥିବାରୁ ତାଙ୍କୁ ଭୁବନେଶ୍ବରର ଅତିରିକ୍ତ ଶିଶୁ କଲ୍ୟାଣ ସମିତିରେ ଉପସ୍ଥିତ କରାଯାଇଛି।