spot_img

Latest Posts

‘Time’ ପତ୍ରିକାର ‘Kid Of The Year’ ହେଲେ ଭାରତୀୟ-ଆମେରିକୀୟ ଝିଅ ଗୀତାଞ୍ଜଳି ରାଓ

ନ୍ୟୁୟର୍କ: ବିଚକ୍ଷଣ କିଶୋରୀ ବୈଜ୍ଞାନିକ ତଥା ଉଦ୍ଭାବକ ଭାରତୀୟ-ଆମେରିକୀୟ ୧୫ ବର୍ଷୀୟ ଗୀତାଞ୍ଜଳି ରାଓଙ୍କୁ ‘ଟାଇମ୍‌’ ପତ୍ରିକା ପ୍ରଥମ କରି ‘କିଡ୍‌ ଅଫ୍‌ ଦି ଇୟର୍‌’ ଭାବେ ନାମିତ କରିଛି। ଦୂଷିତ ପାନୀୟଜଳ ଠାରୁ ଆରମ୍ଭ କରି, ଯନ୍ତ୍ରଣା ଉପସମକାରୀ ଔଷଧାଭ୍ୟାସ ଏବଂ ‘ସାଇବର୍‌ ହାରାସ୍‌ମେଣ୍ଟ୍‌’ କ୍ଷେତ୍ରରେ ତାଙ୍କର ବିସ୍ମୟକର କାର୍ଯ୍ୟ ନିମନ୍ତେ ସେ ଏହି ସମ୍ମାନର ଅଧିକାରିଣୀ ହୋଇଛନ୍ତି।

ଏ ସଂକ୍ରାନ୍ତରେ ‘ଟାଇମ୍‌’ ପତ୍ରିକା କହିବାର ସାରମର୍ମ ହେଲା, ଦୁନିଆ ସେହିମାନଙ୍କର ଯେଉଁମାନେ ଏହାକୁ ରୂପ ଦିଅନ୍ତି। ଅସୁବିଧା ସମୟରେ ଦୁନିଆ ଖୁବ୍‌ ତୁଚ୍ଛ ଲାଗେ। ଅସୁବିଧାର ମୁକାବିଲା ପାଇଁ ନୂଆ ପିଢ଼ିର ପିଲାମାନେ ଉପାୟ ଉଦ୍ଭାବନ କରନ୍ତି। ଜଟିଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ଏହି ଉଦ୍ଭାବିତ ଉପାୟ ହିଁ ସକାରାତ୍ମକ ପ୍ରେରଣା ଦେଇଥାଏ।

‘ଟାଇମ୍‌’ ପତ୍ରିକାର ଏହି ପ୍ରଥମ ‘କିଡ୍‌ ଅଫ୍‌ ଦି ଇୟର୍‌’ ମନୋନୟନ ଲାଗି ୮ରୁ ୧୬ ବର୍ଷ ବୟସ ମଧ୍ୟରେ ଆସିଥିବା ୫ ହଜାର ଆମେରିକୀୟ ପିଲାଙ୍କ ନାମାଙ୍କନ ମଧ୍ୟରୁ କୁମାରୀ ରାଓ ମନୋନୀତ ହୋଇଥିଲେ। ‘ଟାଇମ୍‌’ର ସ୍ୱତନ୍ତ୍ର ସଂଖ୍ୟା ନିମନ୍ତେ ଅଭିନେତ୍ରୀ ଏବଂ ସାମାଜିକ କର୍ମୀ ଆଞ୍ଜେଲିନା ଜୋଲି କୁମାରୀ ରାଓଙ୍କ ସହ ସାକ୍ଷାତ୍‌କାର କରିଥିଲେ।

କଲୋରାଡୋସ୍ଥିତ ତାଙ୍କ ଘରୁ ରାଓ ଜୋଲିଙ୍କ ସହ ଭର୍ଚ୍ୟୁଆଲ୍‌ ଆଲୋଚନାରେ କହିଥିଲେ ଯେ, ବହୁ ସମସ୍ୟାର ସମାଧାନ ନିମନ୍ତେ ସେ ପ୍ରଯୁକ୍ତି ବିଦ୍ୟା ଉପଯୋଗ କରୁଛନ୍ତି। ସମସ୍ୟା ସମାଧାନ ନିମନ୍ତେ ଇଚ୍ଛୁକ ପିଲାମାନଙ୍କୁ ନେଇ ଏକ ଆନ୍ତର୍ଜାତିକ ସଂଗଠନ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି।

ତାଙ୍କ ପିଢ଼ି କୋଭିଡ୍‌-୧୯ ମହାମାରୀ ଏବଂ ମାନବ ଅଧିକାର ଭଳି ଯେଉଁ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛି ସେ ଭଳି ସମସ୍ୟା ପୂର୍ବରୁ ଦେଖା ଯାଇ ନ ଥିଲା ବୋଲି ସେ କହିଛନ୍ତି।

Latest Posts

Don't Miss