’ଓଡ଼ିଶାକୁ ଦିଅ ପାରମ୍ପରିକ ୟୁରିଆ ସାର’

1 min read

ଭୁବନେଶ୍ୱର: ରାଜ୍ୟକୁ ଆବଶ୍ୟକ ପରିମାଣର ପାରମ୍ପରିକ ୟୁରିଆ ସାର ଯୋଗାଇ ଦେବାକୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି । କୋଟା ଅନୁସାରେ ୟୁରିଆ ସାର ଯୋଗାଇ ଦେବାକୁ କେନ୍ଦ୍ର ପାଖରେ ଦାବି ଦୋହରାଇଛି ଓଡ଼ିଶା । ନାନୋ ୟୁରିଆ ଟେକ୍ନୋଲୋଜି ବ୍ୟବହାର ନେଇ କେନ୍ଦ୍ର କୃଷିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ କୃଷିମନ୍ତ୍ରୀ ଏହି ଦାବି କରିଛନ୍ତି । ଚଳିତ ବର୍ଷ ଓଡ଼ିଶାକୁ ୪ ଲକ୍ଷ ମେଟ୍ରିକ ଟନ୍‌ ୟୁରିଆ ସାର କେନ୍ଦ୍ର ଦେବା ପରିବର୍ତ୍ତେ ମାତ୍ର ୨୨ ହଜାର ୫୦୦ ମେଟ୍ରିକ ଟନ୍‌ ଦେଇଛି । ଯାହା ଓଡ଼ିଶା ଚାଷୀଙ୍କ ଆବଶ୍ୟକତା ପୂରଣ କରିପାରିନାହିଁ । କେନ୍ଦ୍ର ନୂଆ ନିୟମ ଲାଗୁ କଲେ ଓଡ଼ିଶାରେ ଚାଷ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେବ । ନୂଆ ଜ୍ଞାନକୌଶଳରେ ରାଜ୍ୟର ଚାଷୀମାନେ ନାନୋ ୟୁରିଆ ବ୍ୟବହାର କରିବା ସମୟ ସାପେକ୍ଷ ବୋଲି କେନ୍ଦ୍ରକୁ ଅବଗତ କରାଯାଇଛି । ରାଜ୍ୟର ଚାଷୀମାନଙ୍କୁ ନାନୋ ୟୁରିଆ ବ୍ୟବହାର ନେଇ ପ୍ରଶିକ୍ଷଣ ଦିଆଯିବ । ଚାଷୀମାନେ ଦକ୍ଷ ହେବା ପରେ ନାନୋ ୟୁରିଆ ବ୍ୟବହାର କରିବାକୁ ରାଜ୍ୟ ସରକାର ଚିନ୍ତା କରିଛନ୍ତି  । ସେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ରାଜ୍ୟକୁ ଆବଶ୍ୟକ ପାରମ୍ପରିକ ୟୁରିଆ ସାର ଯୋଗାଇ ଦେବାକୁ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ  ସ୍ବାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି  ।

ଓଡ଼ିଶାରେ ରାସାୟନିକ ସାର କମ୍‌ ବ୍ୟବହାର ହେଉଥିବାରୁ କେନ୍ଦ୍ର ସରକାର ସେହି ଅନୁସାରେ ଓଡ଼ିଶାର ଚାଷୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି । ଏନେଇ ଖୁବଶୀଘ୍ର କେନ୍ଦ୍ରକୁ ଚିଠି ଲେଖିବେ ବୋଲି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି । କୃଷିକ୍ଷେତ୍ରରେ ଅଧିକ ନାନୋ ୟୁରିଆ ବ୍ୟବହାର ପାଇଁ କେନ୍ଦ୍ର ପ୍ରସ୍ତାବ ରଖିଛି l କିନ୍ତୁ ବର୍ତ୍ତମାନ ସୁଦ୍ଧା ମଧ୍ୟ ଓଡ଼ିଶାର ଚାଷୀମାନେ ଏହି ଟେକ୍ନୋଲୋଜି ସମ୍ବନ୍ଧରେ ସମ୍ପୂର୍ଣ୍ଣ ରୂପେ ଅବଗତ ନୁହନ୍ତି । ତେଣୁ ଏହାର ବ୍ୟବହାର ଧୀରେ ଧୀରେ ଆଗକୁ ବଢ଼ାଯିବ । ନାନୋ ୟୁରିଆକୁ କିଭଳି ଭାବେ ଡ୍ରୋନ ମାଧ୍ୟମରେ ସିଞ୍ଚନ କରାଯିବ, ସେ ଦିଗରେ ଧ୍ୟାନ ଦେବା ପାଇଁ କେନ୍ଦ୍ର ପାଖରେ ରାଜ୍ୟ ପ୍ରସ୍ତାବ ରଖିଛି l