ଗୋଳନ୍ଥରା ନାବାଳିକା ଦୁଷ୍କର୍ମ ମାମଲା: ଆନ୍ଧ୍ରରୁ ୪ ଅଭିଯୁକ୍ତ ଗିରଫ, ଆଇନଶୃଙ୍ଖଳାକୁ ନେଇ ଏସପିଙ୍କୁ ଫେରାଦ ହେଲା ବିଜେଡି ଟିମ୍
1 min read
ନନ୍ଦିଘୋଷ ବ୍ୟୁରୋ: ଗୋଳନ୍ଥରାରେ ଦୁଇ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଗିରଫ ହେଲେ ୪ ଅଭିଯୁକ୍ତ । ଗତ ୩ ତାରିଖରେ ଗଣ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ । ଗତକାଲି ଆନ୍ଧ୍ରପ୍ରଦେଶର ଏକ ହୋଟେଲରୁ ସେମାନଙ୍କୁ ଗିରଫ କରିଛି ପୋଲିସ । ସେପଟେ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବଢିବା ଓ ଗଣ ଦୁଷ୍କର୍ମରେ ପୀଡ଼ିତ ନାବାଳିକାଙ୍କୁ ଉପଯୁକ୍ତ ନ୍ୟାୟ ଦେବା ଦାବିରେ ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ବ୍ରହ୍ମପୁର ଏସପିଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।
ଗଞ୍ଜାମ ଜିଲ୍ଲାର ଗୋଳନ୍ଥରାରେ ଘଟିଥିଲା ଲଜ୍ଜ୍ୟାଜନକ ଘଟଣା । ଦୁଇଜଣ ନାବାଳିକା ଏକ ଶୁଭକାର୍ଯ୍ୟରେ ଯାଇଥିବା ବେଳେ ୪ ଜଣ ଯୁବକ ଦୁଇଟି ବାଇକରେ ସେମାନଙ୍କୁ ଉଠାଇ ନେଇଥିଲେ । ଦୁଇ ଦିନ ଅଟକ ରଖି ଅଭିଯୁକ୍ତମାନେ ତାଙ୍କୁ ଗଣ ଦୁଷ୍କର୍ମ କରିଥିଲେ । ଏନେଇ ପରିବାର ଲୋକଙ୍କ ଗୋଳନ୍ଥରା ଥାନାରେ ଲିଖିତ ଏତଲା ପରେଅଭିଯୁକ୍ତମାନେ ଫେରାର ହୋଇ ଆନ୍ଧ୍ର ପ୍ରଦେଶର ଏକ ହୋଟେଲରେ ଲୁଚି ଥିଲେ । ୪ ଦିନର ଲୁଚକାଳି ଖେଳ ପରେ ଆନ୍ଧ୍ରପ୍ରଦେଶରୁ ସେମାନଙ୍କୁ ପୋଲିସ ଧରିଛି । ସେପଟେ ଦୁଇ ନାବାଳିକାଙ୍କ ଏମକେସିଜି ମେଡିକାଲରେ ଡାକ୍ତରୀ ପରୀକ୍ଷା କରାଯାଇଥିବା ବେଳେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି l
ସୂଚନାଯୋଗ୍ୟ, ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି ଗଞ୍ଜାମ । ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ପ୍ରତିଦିନ ଜିଲ୍ଲାର କେଉଁଠୁ ନା କେଉଁଠୁ ହତ୍ୟା, ଦୁଷ୍କର୍ମ ଅଭିଯୋଗ ଆସୁଛି । ଚୋରି, ଡକାୟତି ଓ ଛିନତାଇ ତ ସାଧାରଣ ଘଟଣା ହୋଇଗଲାଣି । ବାରମ୍ବାର ଏପରି ଘଟଣା ଘଟିବାକୁ ନେଇ ମୁଖ୍ୟ ବିରୋଧୀ ଦଳ ବିଜେଡି ଆଜି ଜିଲ୍ଲା ପୋଲିସ ପ୍ରଶାସନକୁ ଫେରାଦ ହୋଇଛି । ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ଏକ ପ୍ରତିନିଧି ଦଳ ବ୍ରହ୍ମପୁର ଏସପିଙ୍କୁ ସାକ୍ଷାତ କରିଛି । ମହିଳାଙ୍କ ସୁରକ୍ଷା ନେଇ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ବାସ୍ତବରେ ପ୍ରତିଫଳନ ହେଉନି । ଥାନାଗୁଡ଼ିକରେ ପେଟ୍ରୋଲିଂ ଜାରଦାର କରିବା ସହ ମହିଳା ଓ ଶିଶୁ ଡେକ୍ସକୁ ଅଧିକ କ୍ରିୟାଶୀଳ କରିବାକୁ ଦଳ ପରାମର୍ଶ ଦେଇଛି । ସେହିପରି ପୀଡିତା ଓ ସେମାନଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ଦାବି କରିଛି ଦଳ ।