ଦୁଇ ସପ୍ତାହରେ ବଢିଲାଣି ୪ ହଜାର, ବଜେଟକୁ ଦେଖି ଓଜନରେ କାଣ୍ଟଛାଣ୍ଟ କରୁଛନ୍ତି ଗ୍ରାହକ

ଭୁବନେଶ୍ୱର: ବଢୁଛି ସୁନାର ଭାଉ  । ଏପ୍ରିଲ ପହିଲାରୁ ଲଗାତାର ଦର ବଢି ଚାଲିଛି  । ପହିଲାରେ ଦର ୪୧ ହଜାର ଟଙ୍କା ଥିବା ବେଳେ ଏବେ ୪୫ ହଜାର ଛୁଇଁବାକୁ ବସିଲାଣି । କରୋନାର ଦ୍ରୁତ ସଂକ୍ରମଣ ସୁନା ବଜାରକୁ ପ୍ରଭାବିତ କରିଛି । ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ବୋଲି ଅନୁମାନ କରାଯାଇଛି । ସେପଟେ ଦର ବୃଦ୍ଧି ପାଇଁ ଆବଶ୍ୟକତାକୁ କାଣ୍ଟଛାଣ୍ଟ କରୁଛନ୍ତି ଗ୍ରାହକ ।

୬ ଜାନୁଆରୀ ୨୦୨୧ରେ ସୁନା ଦର ୧୦ ଗ୍ରାମ୍ ପ୍ରତି ସର୍ବାଧିକ ୫୧ ହଜାର ୮୪୨ଟଙ୍କା ରହିଥିଲା । ତା’ ପରଠାରୁ ଧିରେ ଧିରେ କମିବା ଆରମ୍ଭ ହୋଇଥିଲା ଦର । ୩୧ ମାର୍ଚ୍ଚ ବେଳକୁ କମି ସର୍ବନିମ୍ନ ୪୧ ହଜାର ୧୦୦ ଟଙ୍କାରେ ପହଞ୍ଚିଥିଲା ଦର । କିନ୍ତୁ ଏପ୍ରିଲ ପହିଲାରୁ ପୁଣି ଦର ବୃଦ୍ଧି ହେବାରେ ଲାଗିଛି । ପ୍ରତିଦିନ ୩ ଶହରୁ ୫ ଶହ ଟଙ୍କା ବୃଦ୍ଧି ପାଉଛି । ଏବେ ୨୨ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ୍‌କୁ ୪୪ ହଜାର ୩୮୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାର ଦର ୪୮ ହଜାର ୩୬୦ଟଙ୍କା ରହିଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଉପରେ କରୋନା ପ୍ରଭାବ ଏବଂ କଟକଣା ପାଇଁ ସପ୍ଳାଇ କମ୍ ରହୁଥିବାରୁ ଦର ବୃଦ୍ଧି ହୋଇଥିବା ବ୍ୟବସାୟୀ କହିଛନ୍ତି ।

ଦର ବୃଦ୍ଧି ଗ୍ରାହକଙ୍କ ଉପରେ ଚଡକ ପକାଇଛି । ବିବାହ ସିଜିନ ଆସୁଥିବାରୁ ସୁନା ଅଳଙ୍କାରର ଡିମାଣ୍ଡ ରହିଛି । ଆବଶ୍ୟକ ଅଳଙ୍କାରର ଦାମ୍‌ ଦେଖି ଓଜନରେ କାଣ୍ଟଛାଣ୍ଟ କରି ଚଳେଇ ନେଉଛନ୍ତି ଗ୍ରାହକ । ଯେଉଁ ଗ୍ରାହକ ଏକ ଭରି ବା ୧୦ ଗ୍ରାମ୍ ଓଜନର ଅଳଙ୍କାର ନେବାକୁ ଇଛା ପ୍ରକାଶ କରିଥିଲେ ସେମାନେ ୬ ରୁ ୮ ଗ୍ରାମ୍ ଓଜନରେ ଗହଣା କିଣୁଛନ୍ତି । ଫଳରେ ଯେତିକି ଓଜନର ଅଳଙ୍କାର ବିକ୍ରି ହେବା କଥା ସେତିକି ହେଉନଥିବା ବ୍ୟବସାୟୀ କହିଛନ୍ତି । ଆକଳନ ଅନୁସାରେ ଯଦି କରୋନା ସଂକ୍ରମଣ ଏଭଳି ବୃଦ୍ଧି ପାଏ ତେବେ ସୁନା ଦର ୧୦ ଗ୍ରାମ ପ୍ରତି ୬୦ ହଜାର ଛୁଇଁବା ଅସମ୍ଭବ ନୁହେଁ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୩୬୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ ୭୦୪ ଜଣ ସଂକ୍ରମିତ

Leave a Reply