ଜଙ୍ଗଲକୁ ଘର କରିଛନ୍ତି ଗୋପାଳ !

ଝାରସୁଗୁଡା ଜିଲ୍ଲାରେ ବଣ ମଣିଷ । ତାହା ପୁଣି ଆଧୁନିକ ଯୁଗରେ, କଥାଟା ଟିକିଏ ଅଡ଼ୁଆ ଲାଗୁଥିଲେ ବି ସତ । ଆମେ ସମସ୍ତେ ଜାଣିଛନ୍ତି ପୁରାତନ ଯୁଗରେ ଲୋକମାନେ ଉଲଗ୍ନ ହୋଇ ଜଙ୍ଗଲରେ ବସବାସ କରୁଥିଲେ । ଜଙ୍ଗଲରେ ବନ୍ୟ ଜନ୍ତୁଙ୍କ ସହ ରହୁଥିଲେ ଏବଂ କଞ୍ଚା ମାଂସ, ଫଳମୂଳ ଖାଇ ଜୀବନ ଅତିବାହିତ କରୁଥିଲେ । ଏପରିକି ଅନେକ ଚଳଚିତ୍ର ମାଧ୍ୟମରେ ମଧ୍ୟ ଆମେ ଏହା ଦେଖିଛନ୍ତି ।

ଏବେ କିନ୍ତୁ ଝାରସୁଗୁଡାରେ ଏମିତି ଜଣେ ବ୍ୟକ୍ତିଙ୍କୁ ନେଇ ଚର୍ଚ୍ଚା ଚାଲିଛି,ଯାହାଙ୍କୁ ବଣ ମଣିଶ ବୋଲି କୁହା ଯାଉଛି । କାରଣ ସେ ଜଙ୍ଗଲରେ ରୁହନ୍ତି ଓ ଶରିରକୁ ଅନାବୃତ ରଖନ୍ତି ।  ଝାରସୁଗୁଡା ଜିଲ୍ଲା ଖୁଣ୍ଟାମାଲ ପଞ୍ଚାୟତର ସୁଡୁଙ୍ଗ ଗ୍ରାମର ଯେଉଁ ବ୍ୟକ୍ତିଙ୍କୁ ନେଇ ଚର୍ଚ୍ଚା ଚାଲିଛି ତାଙ୍କ ନାମ ହେଉଛି ବ୍ୟକ୍ତି ଗୋପାଳ ନାଏକ । ବୟଷ ପାଖାପାଖି ୪୫ ରୁ ୫୦ବର୍ଷ । ଛୁଆବେଳୁ ସେ ଉଲଗ୍ନ ହୋଇ ଜଙ୍ଗଲରେ ବୁଲୁଛନ୍ତି । ଏପରିକି ଜଙ୍ଗଲରେ ବୁଲି ବୁଲି ଫଳମୂଳ ଖାଇବା ସହ ଜଙ୍ଗଲରେ ମଧ୍ୟ ରୁହନ୍ତି  ।

ଜଙ୍ଗଲରେ ରହୁଥିବା ଗୋପାଳ ପାଗଳ ନୁହନ୍ତି । ମାନସିକ ଭାବେ ସେ ସୁସ୍ଥ । ଚାଷବାସ କରି ପେଟ ପୋଷନ୍ତି । ଏମିତିକି ଝରଣା ପାଣିରେ ବନ୍ଧ ବାନ୍ଧି ମାଛ ଚାଷ କରନ୍ତି । କିନ୍ତୁ କୌଣସି କାରଣରୁ ତାଙ୍କୁ ପୋଷାକ ପିନ୍ଧିବାକୁ ଭଲ ଲାଗେନା । ତେଣୁ ସେ ଜଙ୍ଗଲୀଙ୍କ ଭଳି ବିନା ପୋଷାକରେ ଜଙ୍ଗଲରେ ବୁଲନ୍ତି ।

ଅନେକ ଦିନ ଧରି ସେ ଜଙ୍ଗଲରେ ରହି ଆସୁଛନ୍ତି । ପ୍ରଥମେ ସେ ଜଙ୍ଗଲରେ ଗଛ ଉପରେ ରହୁଥିଲେ । ଏବେ ଜଙ୍ଗଲ ନିକଟରେ ବହି ଯାଉଥିବା ନାଳ ନିକଟରେ ଏକ କୁଡ଼ିଆ ନିର୍ମାଣ କରି ରୁହନ୍ତି । ବନ୍ୟପଶୁ ମାନେ କେହିବି ତାଙ୍କର କ୍ଷତି କରନ୍ତି ନାହିଁ  କି ଗୋପାଳ କୌଣସି ବନ୍ୟଜନ୍ତୁଙ୍କୁ ଡରନ୍ତି ନାହିଁ । ଏହାସହ ଗାଁର କୌଣସି ଲୋକଙ୍କୁ କୌଣସି କ୍ଷତି କରନ୍ତି ନାହିଁ ଗୋପାଳ । ସବୁବେଳେ ଅଣ୍ଟାରେ ଏକ ଦା’ ଧରିଥାନ୍ତି। ଗୋପାଳର କୌଣସି ଆଧାର କାର୍ଡ କିମ୍ବା ଭୋଟର ପରିଚୟ ପତ୍ର ନାହିଁ। ଉଲଘ୍ନ ହୋଇ ଜଙ୍ଗଲରେ ବୁଲିବାକୁ ଭଲ ଲାଗେ ବୋଲି କୁହନ୍ତି ଗୋପାଳ । ଜଙ୍ଗଲକୁ ତାଙ୍କ ଘର ଏବଂ ବନ୍ୟ ଜନ୍ତୁମାନେ ତାଙ୍କର ବନ୍ଧୁ ମାନି ନେଇଛନ୍ତି ଗୋପାଳ ।

Leave a Reply