କଳା କାରନାମାର ପଙ୍କରୁ ବାହାରି ପଦ୍ମ ଧରିଲେ ପ୍ରଦୀପ

ଭୁବନେଶ୍ୱର : ଜନବିରୋଧୀ ନେତାଙ୍କୁ କୋଳାଇ ନେଲା ବିଜେପି । ନିଜକୁ ପାର୍ଟି ୱିଥ୍ ଡିଫରେନ୍ସ ବୋଲି ଦାବି କରୁଥିବା ବିଜେପି ଆଜି ଲୋକଙ୍କ ସ୍ୱାର୍ଥ ବିରୋଧରେ କାମ କରୁଥିବା ଓ ଦୁର୍ନିତୀକୁ ଅସ୍ତ୍ର କରିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନିଜ ପରିବାରକୁ ସ୍ୱାଗତ କରିଛି । ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି ଗୋପାଳପୁର ବିଧାୟକ ।

ପ୍ରଦୀପଙ୍କ ନାମରେ ମାଳ ମାଳ ଠକେଇ ଓ ଦୁର୍ନିତୀ ଅଭିଯୋଗ ଥିବା ବେଳେ ବିଜେପି ତାଙ୍କୁ ଯେଉଁଭଳି ଭାବେ କୋଳେଇ ନେଇଛି ତାହା ଅନେକ ପ୍ରଶ୍ନ ଉଠାଉଛି । ନିଜକୁ ସ୍ୱଚ୍ଛ ବୋଲି ଦାବି କରୁଥିବା ବିଜେପି କେମିତି ଏମିତି ଜଣେ ନେତା, ଯାହାଙ୍କ ନାମରେ ନିଜ ନିର୍ବାଚନ ମଣ୍ଡଳୀର ଭୋଟରଙ୍କୁ ଠକେଇର ଅଭିଯୋଗ ଅଛି ,ତାଙ୍କୁ ନିଜ ଦଳକୁ ସ୍ୱାଗତ କଲା ତାକୁ ପ୍ରଶ୍ନ କରାଯାଉଛି ।

ଚାକିରି ଦେବା ନାମରେ ଠକେଇ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଖୋଦ ତାଙ୍କରି ନିର୍ବାଚନ ମଣ୍ଡଳିର ଭୋଟର ଅଭିଯୋଗ ଆଣିଥିଲେ ଯେ, ସେ ଟାଟା ମୋଟର୍ସରେ ଚାକିରି ଦେବା ନାମରେ ବେକାର ଯୁବକଯୁବତୀଙ୍କ ସହିତ ପ୍ରତାରଣ କରିଛନ୍ତି । ପ୍ରଦୀପଙ୍କ ଭାବି ଜୁଆଁଇ ଓ ଭାବି ସମୁଧୀ ଦୁର୍ନିତୀର ଏହି ଖେଳରେ ତାଙ୍କୁ ସାଥ୍ ଦେଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଆସିବା ପରେ ଡିସେମ୍ବର ୩ ତାରିଖ ୨୦୨୦ରେ ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ପ୍ରାୟ ୭ ମାସ ଧରି ପ୍ରଦୀପ ଜେଲରେ ଥିଲେ । ପ୍ରଦୀପଙ୍କ ବିରୋଧରେ ଅଭିଯୋଗ ଥିଲା ଯେ, ସେ ସହଯୋଗୀ ସର୍ବେଶ୍ବର ରାଓଙ୍କ ଜରିଆରେ ଆଦାୟ କରୁଥିଲେ ଟଙ୍କା । ସେହିଭଳି ତାଙ୍କ ଭାବି ସମୁଧି ଅଭୟକାନ୍ତ ପାଠକ ମଧ୍ୟ ତାଙ୍କ ସହିତ ଏହି ଠକେଇ ପ୍ଲାନରେ ସାମିଲ ହୋଇଥିବା ସେତେବେଳେ ଅଭିଯୋଗ ହୋଇଥିଲା । କୁହାଯାଏ ଯେ, ଅଭୟକାନ୍ତ ପାଠକଙ୍କ କଳା ସାମ୍ରାଜ୍ୟ ପଛରେ ଥିଲା ପ୍ରଦୀପଙ୍କ ହାତ । ଭାବୀ ଜ୍ବାଇଁ ଆକାଶ ପାଠକଙ୍କ କଳା କାରନାମା ପଛରେ ମଧ୍ୟ ପ୍ରଦୀପ ଥିଲେ ଆଶଙ୍କା କରାଯାଏ ।

ପ୍ରଦୀପଙ୍କ ବିରୋଧରେ କ’ଣ ସବୁ ଦଫା ?

ସ୍ଥାନୀୟ ଯୁବକଙ୍କ ଅଭିଯୋଗ କ୍ରମେ ଗିରଫ ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ । ଦଫା ୪୨୦ରେ ସେ ଗିରଫ ହୋଇଥିଲେ । ପ୍ରଦୀପଙ୍କ ନାଁରେ ଲାଗିଥିଲା ଆଇପିସିର ବିଭିନ୍ନ ଦଫା । ତାଙ୍କ ବିରୋଧରେ ଦଫା ୪୨୦/୪୧୯/୪୬୭/୪୬୮/୪୬୯/ ୪୭୧/୧୨୦(ଖ) ଆଇଟି ଆକ୍ଟ ୨୦୦୦ର ୬୬(ସି)/(ଡ଼ି)ଦଫା ମଧ୍ୟ ଲାଗିଥିଲା

କରୋନା ବେଳେ ନିଜ ଲୋକଙ୍କୁ ଭୁଲି ଯାଇଥିଲେ ପ୍ରଦୀପ

କରୋନା ମହାମାରୀ କାଳରେ ଯେତେବେଳେ ଲକଡାଉନ୍ କାରଣରୁ ପୁରା ଦେଶ ଠପ୍ ହୋଇଯାଇଥିଲା,ସେତେବେଳେ ପ୍ରଦୀପ ନିଜ ଭୋଟରଙ୍କ ମଙ୍ଗଳ ଚିନ୍ତା କରିବା ବଦଳରେ ସ୍ୱାର୍ଥପର ସାଜିଥିଲେ । ଦେଶର ବିଭିନ୍ନ ଭାଗରେ ଅଟକି ରହିଥିବା ଓଡ଼ିଆଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟମ କରୁଥିବା ବେଳେ ପ୍ରଦୀପଙ୍କ ମନୋଭାବ ଅଲାଗ ଥିଲା । ବାହାର ରାଜ୍ୟରୁ ଓଡ଼ିଆ ଆସିଲେ କରୋନା ବ୍ୟାପିବ ବୋଲି କହି ସେ ଅଲଗା ରାଜ୍ୟରେ ଥିବା ଓଡ଼ିଆ ବିଶେଷକରି ଗଂଜାମର ଓଡିଆଙ୍କୁ ଓଡ଼ିଶା ଅଣାଯିବାକୁ ବିରୋଧ କରିଥିଲେ । ଏଥିପାଇଁ ସେ ରିତିମତ ଚକ୍ରାନ୍ତ ମଧ୍ଯ କରିଥିଲେ ।

ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ତଡ଼ା ଖାଇଥିଲେ

ପ୍ରଦୀପଙ୍କୁ ତାଙ୍କ ଜନବିରୋଧୀ କାର୍ଯ୍ୟକଳାପ ପାଇଁ ବିଜୁ ଜନତା ଦଳରୁ ବିତାଡିତ କରାଯାଇଥିଲା । ୨୦୨୦ ନଭେମ୍ବର ୨୯ ତାରିଖ ଦିନ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା ।ଦୁର୍ନିତୀ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହନଶୀଳତା ନୀତି କ୍ରମରେ ପ୍ରଦୀପ ଓ ତାଙ୍କ ସହଯୋଗୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏବେ ପ୍ରଶ୍ନ ଉଠୁଛି ଯେ, ଜଣେ ଜନବିରୋଧୀ ବ୍ୟକ୍ତିଙ୍କୁ କେମିତି ବିଜେପି ନିଜ ଦଳରେ ସାମିଲ କରୁଛି ।