ଡ୍ରାଇଭରଙ୍କ ମୃତ୍ୟୁ ହେଲେ ମିଳିବ ୪ ଲକ୍ଷ, କଲ୍ୟାଣ ବୋର୍ଡ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବୀକୃତି

ଭୁବନେଶ୍ବର: ଡ୍ରାଇଭରଙ୍କ ପାଇଁ ବଡ଼ ଘୋଷଣା । କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନା ୨୦୨୩କୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଯୋଜନା କାର୍ଯ୍ୟକାରୀ କରିବା ପାଇଁ କଲ୍ୟାଣ ବୋର୍ଡ ଗଠନକୁ ସ୍ବୀକୃତି ପ୍ରଦାନ କରାଯାଇଛି।

ମୋଟର ଯାନ ଡ୍ରାଇଭର ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାଦ୍ବାରା ଡ୍ରାଇଭର ଓ ଅନ୍ୟାନ୍ୟ କର୍ମଚାରୀ ବ୍ୟାପକ ଭାବେ ଉପକୃତ ହେବେ। କାମ କରୁଥିବା ବେଳେ ଡ୍ରାଇଭର ଓ କର୍ମଚାରୀଙ୍କର ମୃତ୍ୟୁ ହେଲେ ମିଳିବ ୪ଲକ୍ଷ ଟଙ୍କା। ଅତିଗଭୀର ଆଘାତ କ୍ଷେତ୍ରରେ ୮୦ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ ।

ସ୍ଥାୟୀ ଅକ୍ଷମତା ମାମଲାରେ ଦେଢ ଲକ୍ଷ ଟଙ୍କା ସହାୟତା ମିଳିବ । ସେହିପରି ସାଧାରଣ ମୃତ୍ୟୁ ମାମଲାରେ ୨ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ପ୍ରଦାନ କରାଯିବ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଡ୍ରାଇଭର ଓ କର୍ମଚାରୀଙ୍କୁ ମିଳିବ ସୁବିଧା। ଯୋଗ୍ୟତା ଅନୁସାରେ ମଧୁବାବୁ ପେନସନ୍ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଏହାଦ୍ବାରା ୫ଲକ୍ଷରୁ ଅଧିକ ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ ଉପକୃତ ହେବେ ।

କଲ୍ୟାଣ ବୋର୍ଡରେ ସରକାରୀ ସଦସ୍ୟଙ୍କ ସହିତ ମୋଟର ପରିବହନ ଡ୍ରାଇଭର ରହିବେ। କର୍ମଚାରୀ ମାନଙ୍କର ପ୍ରତିନିଧି ମଧ୍ୟ ସଦସ୍ୟ ରହିବା ବ୍ୟବସ୍ଥା ରହିଛି । ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବୋର୍ଡକୁ ପ୍ରାରମ୍ଭିକ ଭାବେ ଅନୁଦାନ ପ୍ରଦାନ କରାଯିବ। ପରବର୍ତ୍ତୀ ସମୟରେ, ବୋର୍ଡ, ପଞ୍ଜୀକରଣ ଶୁକ୍ଳ ସଂଗ୍ରହ, ଯାନ ମାଲିକଙ୍କ ଅବଦାନ ଏବଂ ଅନ୍ୟାନ୍ୟ ଉତ୍ସରୁ ପାଣ୍ଠି ସଂଗ୍ରହ କରି ଏହି ଯୋଜନାକୁ ପରିଚାଳନା କରିବେ। ଗତ ମାର୍ଚ୍ଚ ମାସରେ ଆନ୍ଦୋଳନକୁ ଓହ୍ଲାଇଥିଲା ଡ୍ରାଇଭର ମହାସଂଘ। ରାଜ୍ୟ ସରକାର ସମସ୍ୟାର ସମାଧାନ ପାଇଁ ୩ମାସର ମହଲତ ମାଗିଥିଲେ। ୩ମାସ ମଧ୍ୟରେ ପ୍ରତିଶ୍ରୁତି ପୂରଣ କରିଛନ୍ତି ରାଜ୍ୟ ସରକାର।