ହଇଜାକୁ ନେଇ ସରକାର ଆପଣାଇଛନ୍ତି ଖାମଖିଆଲ ମନୋଭାବ

ନନ୍ଦିଘୋଷ ବ୍ୟୁରୋ: ଯାଜପୁର ହଇଜା ଏବେ ସାରା ରାଜ୍ୟକୁ ବ୍ୟାପିଲାଣି। ଗୋଟିଏ ଜିଲ୍ଲାରୁ ୮ ଜିଲ୍ଲାକୁ ଡେଇଁଲାଣି। ହେଲେ ୮ ଦିନ ପରେ ଯାଜପୁର ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ଏ ପର୍ଯ୍ୟନ୍ତ କାହିଁକି ମୁଖ୍ୟମନ୍ତ୍ରୀ ପ୍ରଭାବିତ ଅଞ୍ଚଳ ଗସ୍ତ କରିନାହାନ୍ତି । ଚିକିତ୍ସା ବ୍ୟବସ୍ଥା ଠିକଠାକ ଚାଲିଛି ବୋଲି କହି ନିଜ କାମ ସାରିଦେଇଛନ୍ତି । ଏହାସରକାରଙ୍କ ଖାମଖିଆଲି ମନୋଭାବ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

ଜିଲ୍ଲା ପରେ ଜିଲ୍ଲା ଡେଇଁଲାଣି ହଇଜା । ହେଲେ ସରକାର କହୁଛନ୍ତି ସ୍ଥିତି ସୁଧୁରିଛି । ୮ ଜିଲ୍ଲାକୁ ବ୍ୟାପିଲାଣି । ମଲେଣି ୧୮ଜଣ । ହେଲେ ସରକାରଙ୍କ ଖାତାରେ ଏବେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ। ଖାଲିସେତିକି ନୁହେଁ, ଯାଜପୁରରେ ହଇଜା ସଂକ୍ରମଣରେ ଏକାଧିକ ମୁଣ୍ଡ ଗଡ଼ିଛି ।

କେନ୍ଦ୍ରୀୟ ଟିମ୍‌ ଦୁଇଥର କ୍ଷେତ୍ର ପରିଦର୍ଶନ କଲେଣି । ହେଲେ ୯ ଦିନ ପରେ ଜିଲ୍ଲା ଗସ୍ତ କରି ସମୀକ୍ଷା କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମନେପଡ଼ୁଛି । ରାଜ୍ୟରେ ହଇଜା ସଂକ୍ରମଣରେ ବ୍ରେକ୍‌ ଲାଗୁନଥିବା ନେଇ ସରକାରଙ୍କ ବିରୋଧରେ ଏପରି ମାଳ ମାଳ ଅଭିଯୋଗ କରିଛନ୍ତି ବିରୋଧୀ । ଯାଜପୁର ପରେ ଭଦ୍ରକ, କେନ୍ଦୁଝର, କଟକ, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳକୁ ବ୍ୟାପିଲାଣି ଡାଇରିଆ ଓ କଲେରା। ଯାଜପୁର ଜିଲ୍ଲାରୁ ୧୫୧୬ଜଣ ଡାଇରିଆ ରୋଗୀ ଚି଼ହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ।

ଦ୍ବିତୀୟ ଥର ପାଇଁ କେନ୍ଦ୍ରୀୟ ଟିମ ଯାଜପୁର ଯିବା ପରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଏପରି ବେପରୁଆ ମନୋଭାବ ବିରୋଧରେ ବର୍ଷିଛନ୍ତି ବିରୋଧୀ । ସରକାରୀ ବିଭାଗ ଭିତରେ ସମନ୍ବୟର ଅଭାବକୁ ବିଜେଡି ଟାର୍ଗେଟ କରିଛି । ହଇଜା ମୃତ୍ୟୁକୁ ନେଇ ସରକାର ତଥ୍ୟ ଲୁଚାଉଥିବା ଅଭିଯୋଗ ବି ଆଣିଛି ବିଜୁ ଜନତା ଦଳ । ସେପଟେ ମୁଖ୍ୟମନ୍ତ୍ରୀ କାହିଁକି ଏ ପର୍ଯ୍ୟନ୍ତ ଜିଲ୍ଲା ଗସ୍ତ କରିନାହାନ୍ତି ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ ।

ଗୋଟାଏ ପଟେ ସ୍ବାସ୍ଥ୍ୟ ବିଭାଗ ବିଷାକ୍ତ ପାଣି ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଥିବା ସ୍ପଷ୍ଟ କରିଥିବାବେଳେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ ଏହାକୁ ଖଣ୍ଡନ କରିଥିଲେ। ବିଳମ୍ବରେ ସ୍ଥିତିର ସମୀକ୍ଷା କରିବାକୁ ଯାଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ବି ଠିକ୍ ଭାବେ କଲେରା ଓ ଡାଇରିଆର କାରଣ ଖୋଜି ପାଇ ପାରିନାହାନ୍ତି। ଯାହାକୁ ନେଇ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି । ଡାଇରିଆ ବଢୁଛି । ବିଲୁପ୍ତ କୁହାଯାଉଥିବା କଲେରା ବି କଲବଲ କଲାଣି। ସଂକ୍ରମଣ ନିୟନ୍ତ୍ରଣକୁ ଆସୁନଥିବାରୁ ରାଜ୍ୟରେ ସ୍ବାସ୍ଥ୍ୟସେବା ଖରାପ ସ୍ଥିତିକୁ ଗଲାଣି କି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ ଉଠେଇଛନ୍ତି।