ଆସନ୍ତା ୩ ଦିନରେ ୨୬ ବିମାନରେ ଭାରତ ଫେରିବେ ୟୁକ୍ରେନରେ ଫସିଥିବା ଭାରତୀୟ

1 min read

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଜୋରଦାର ଯୁଦ୍ଧ । ଏହି ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଫସି ରହିଛନ୍ତି ଅନେକ ଭାରତୀୟ । ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ଅପରେସନ ଗଙ୍ଗା । ତେବେ ଏହି ଅପରେସନ ମାଧ୍ୟମରେ ଆସନ୍ତା ତିନି ଦିନ ଭିତରେ ୨୬ଟି ବିମାନରେ ୟୁକ୍ରେନ୍‌ରୁ ଫେରିବେ ଭାରତୀୟ । ରୋମାନିଆ, ହଙ୍ଗେରୀ ଦେଇ ଭାରତୀୟଙ୍କୁ ଆଣିବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ୟୁକ୍ରେନରେ ଥିବା ଭାରତୀୟ ରାଷ୍ଟ୍ରଦୂତ ବିଭିନ୍ନ ଅଞ୍ଚଳରେ ଥିବା ଭାରତୀୟଙ୍କ ସହ ଯୋଗାଯୋଗ କରୁଛନ୍ତି ।

ଅନ୍ୟପଟେ ୟୁକ୍ରେନରେ ଭାରତୀୟ ଦୂତାବାସକୁ ଖାଲି କରାଯାଇଛି । କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଛି । ଭାରତୀୟଙ୍କୁ ଯେକୌଣସି ଉପାୟରେ ୟୁକ୍ରେନ୍‌ ସୀମା ପର୍ଯ୍ୟନ୍ତ ଆସିବା ପାଇଁ କୁହାଯାଇଛି । ସେପଟେ ବଙ୍କର ଭିତରେ ଲୁଚିଥିବା ଛାତ୍ରଛାତ୍ରୀମାନେ ଭୟଭିତ ଅବସ୍ଥାରେ ଅଛନ୍ତି । ଖାଦ୍ୟ ଶେଷ ହେଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବାକୁ ଅପିଲ୍‌ କରୁଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ଫସିଯାଇଥିବା ଛାତ୍ରଛାତ୍ରୀମାନେ ଭିଡିଓ କରି ସୋସିଆଲ ମିଡିଆରେ ଅତି ଦୟନୀୟ ଅବସ୍ଥାକୁ ବଖାଣୁଛନ୍ତି । ଏପଟେ ସେମାନଙ୍କ ପରିବାର ଲୋକେ ମଧ୍ୟ ଚିନ୍ତାରେ ରହିଛନ୍ତି । ୟୁକ୍ରେନରେ ମୃତ ଭାରତୀୟ ଛାତ୍ରଙ୍କ ମୃତଦେହ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି । ଗତକାଲି ଖାଦ୍ୟ ଆଣିବାକୁ ଯାଉଥିବା ବେଳେ, ଋଷର ରକେଟ ମାଡ଼ରେ ତାଙ୍କର ମୃତ୍ୟୁ ହୋଇଥିଲା ।

Leave a Reply