ବୈତରଣୀ ନଦୀରେ ବୁଡ଼ି ଜେଜେବାପା ଓ ନାତି ମୃତ

ନନ୍ଦିଘୋଷ ବ୍ୟୁରୋ: ବୈତରଣୀ ନଦୀରେ ବୁଡ଼ି ଜେଜେବାପା ଓ ନାତି ମୃତ । ନାତିର ଜନ୍ମଦିନ ପାଇଁ ମନ୍ଦିର ଯିବାକୁ ନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡି ଜେଜେବାପା ଓ ନାତିଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ପାଟଣା ଥାନା ସିଲିପଦା ଗାଁରେ ଘଟିଛି ଏହି ଘଟଣା । ମୃତକ ହେଲେ ବାସୁଦେବ ମହାନ୍ତ ଏବଂ ୧୧ବର୍ଷର ନାତି ଦିବ୍ୟାଂଶୁ ମହାନ୍ତ । ସାନ ନାତିର ଜନ୍ମଦିନ ଥିବାରୁ ମନ୍ଦିର ଯିବା ପାଇଁ ଜେଜେବାପା, ୨ ଜଣ ନାତିଙ୍କୁ ନେଇ ବୈତରଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ୨ ଜଣ ନାତି  ବୁଡିଯିବାରୁ ସେମାନଙ୍କୁ ବଞ୍ଚାଇବାକୁ ଯାଇ ନଦୀକୁ ଡେଇଁ ପଡ଼ିଥିଲେ ଜେଜେବାପା । କିନ୍ତୁ ନାତିଙ୍କୁ ବଞ୍ଚା ନପାରି ନିଜେ ବୁଡି ଯାଇ ମୃତ୍ୟୁବରଣ କରିଥିଲେ । ବଡ଼ ନାତି ପହଁରି ପହଁରି ଯାଇ ଏକ ପଥରରେ ରହିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ସାନ ନାତି କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇ ଥିଲେ ହେଁ ସେଠାରେ ଦିବ୍ୟାଂଶୁ ର ମୃତ୍ୟୁ ଘଟିଛି । ଘଟଣା କୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।