ଜେଜେମାଆଙ୍କୁ ମାରିଦେଲା ନାତି, ୪ ଦିନ ପରେ ମାଟି ତଳୁ ମିଳିଲା ଗଳିତ ମୃତଦେହ

ନବରଙ୍ଗପୁର: ଜେଜେମାଆଙ୍କୁ ମାରିଦେଲା ନାତି । ନାତି ଓ ତା’ ମାଆ ମିଶି ମୃତଦେହକୁ ପୋତିଦେଲେ । ଚାରି ଦିନ ପରେ ମାଟି ତଳୁ ମିଳିଲା ଗଳିତ ମୃତଦେହ । ଘରୋଇ କଳିରୁ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଖଣ୍ଡିଆଗୁଡ଼ା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ଖଣ୍ଡିଆଗୁଡ଼ା ଗାଁରେ ଗତ ୯ ତାରିଖରେ ସୋନାଇଁ ଜାନିଙ୍କ ପରିବାରରେ କୌଣସି କାରଣରୁ ବଚସା ହୋଇଥିଲା । ବଚସା ନେଇଥିଲା ଉଗ୍ରରୂପ । ଜେଜେମାଆ ସୋନାଇଁଙ୍କୁ ନାତି ଜଗବନ୍ଧୁ ଜାନି ଠେଲି ଦେବାରୁ ତଳେ ପଡ଼ି ଘଟଣାସ୍ଥଳରେ ହିଁ ସୋନାଇଁଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଜଗବନ୍ଧୁ ଏବଂ ତା’ ମାଆ କୁନି ଜାନି ମିଶି ମଧ୍ୟରାତ୍ରରେ ଘର ପାଖ ଏକ ନାଳ ନିକଟରେ ସୋନାଇଁଙ୍କ ଶବକୁ ପୋତି ଦେଇଥିଲେ ।

ମୃତ ସୋନାଇଁଙ୍କ ଭଣଜା ଲକିନାଥ ଜାନି ତେନ୍ତୁଳିଖୁଣ୍ଟି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଶବ ପୋତାଯାଇଥିବା ସ୍ଥାନକୁ ଜଗବନ୍ଧୁକୁ ନେଇ ଶବ ଉଦ୍ଧାର କରାଯାଇଛି ଏବଂ ଘଟଣାସ୍ଥଳରେ ହିଁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ବ୍ୟବଚ୍ଛେଦ କରାଯାଇଛି । ପାପଡ଼ାହାଣ୍ଡି ଏସଡିପିଓ ଆଦିତ୍ୟ ସେନ ମାମଲାର ତଦନ୍ତ କରୁଛନ୍ତି । ପୁଅ ଜଗବନ୍ଧୁ ଓ ତା’ ମାଆ କୁନି ଜାନିଙ୍କୁ ପୋଲିସ ଗିରଫ କରିଛି ।