ନିକ୍କି ହତ୍ୟାକାଣ୍ଡ : ପଦାକୁ ଆସିଲା ଅଭିଯୁକ୍ତ ସ୍ୱାମୀର ପୁରୁଣା ଭିଡ଼ିଓ , ଦିଲ୍ଲୀରେ ଜଣେ ଝିଅ ସହ ଧରା ପଡି ଖାଇଥିଲା ମାଡ଼

ନନ୍ଦିଘୋଷ ବ୍ୟୁରୋ : ଗ୍ରେଟର ନୋଏଡା ନିକ୍କି ହତ୍ୟା ମାମଲାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ପଦାକୁ ଆସିଲା ଅଭିଯୁକ୍ତ ସ୍ୱାମୀ ବିପିନର ପୁରୁଣା ଭିଡ଼ିଓ । ଯେଉଁଥିରେ ସେ ଦିଲ୍ଲୀରେ ଜଣେ ଝିଅ ସହିତ ଧରାପଡିଥିଲେ । ଏହି ସମୟରେ ତାଙ୍କୁ ବହୁତ ମାଡ଼ ମରାଯାଇଥିଲା । ଭିଡିଓଟିରେ ବିପିନ ଜଣେ ଝିଅ ସହ ଏକ କାରରେ ଥିଲେ, ଝିଅଟି କାରରେ ବସିଛି କିନ୍ତୁ ବିପିନଙ୍କୁ କିଛି ଲୋକ ଧରି ପିଟୁଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ଅଭିଯୋଗ ହୋଇଛି ଯେ, ବିବାହ ପରେ ନିକ୍କିଙ୍କ ସ୍ୱାମୀ ବିପିନ ବାରମ୍ୱାର ଯୌତୁକ ଦାବି କରୁଥିଲେ ଏବଂ ମାରପିଟ୍ କରୁଥିଲେ । ପରେ ନୃଶଂସ ସ୍ୱାମୀ ଅଗଷ୍ଟ ୨୧ରେ ତାଙ୍କୁ ପିଟିବା ସହ ଜୀବନ୍ତ ଜାଳି ହତ୍ୟା କରିଥିଲେ  । ଏହା ସହ ନିକ୍କିଙ୍କ ଭାଇ କହିଛନ୍ତି ଯେ ବିପିନର ନଜର ତାଙ୍କ ବାପା କିଣିଥିବା ମର୍ସିଜିଡ୍ କାର ଉପରେ ଥିଲା । ଯାହାକୁ ଦେବାକୁ ସେ ବାରମ୍ୱାର ଦାବି କରିବା ସହ ୬୦ ଲକ୍ଷ ଟଙ୍କା ଦାବି କରୁଥିଲେ  ।

ହତ୍ୟାକାଣ୍ଡ ପରେ ନିକ୍କିଙ୍କ ଭଉଣୀ ଅଭିଯୁକ୍ତ ସ୍ୱାମୀ ବିପିନ, ଭାଇ ରୋହିତ, ଶାଶୁ ଦୟା ଏବଂ ଶ୍ୱଶୁର ସତବୀରଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି । ପୋଲିସ ଅଭଯୁକ୍ତ ବିପିନଙ୍କୁ ଗିରଫ କରିଛି । ବିପିନକୁ ଏନକାଉଣ୍ଟରେ ଗୋଡ଼ରେ ଗୁଳି ବାଜିଛି । ପୋଲିସ ତାଙ୍କୁ ହସ୍ପିଟାଲ ନେଇଛି । ଅନ୍ୟପଟେ ନିକ୍କିଙ୍କ ବାପା ପୋଲିସ ଠିକ୍ କାମ କରିଛି ବୋଲି କହିଛନ୍ତି । ଆମେ ଅନୁରୋଧ କରୁଛୁ ଯେ, ବାକି ଅପରାଧୀଙ୍କକୁ ବି ଶୀଘ୍ର ଧରାଯାଉ । ନିକ୍କିଙ୍କ ହତ୍ୟା ନେଇ ଲୋକମାନେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ।