ରାଜଧାନୀରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ରାତି ଅଧରେ ମହିଳାଙ୍କୁ ଉଠାଇ ନେଇ ଅଟକ ରଖିଲେ

ଭୁବନେଶ୍ବର: ରାଜଧାନୀରେ ଗୋଷ୍ଠୀ ସଙ୍ଘର୍ଷ । ନିଶା ଖାଇ ଶବର ସାହିର ଯୁବକଙ୍କୁ ଆକ୍ରମଣ କଲେ ଅରବିନ୍ଦ ନଗର ବସ୍ତିର କିଛି ଯୁବକ । ଘଟଣାର ମୁଖ୍ୟ କାର୍ପଟଦାର୍ ଲେଡି ଡନଙ୍କୁ ଉଠାଇ ନେଲେ ଶବର ସାହିର ଶତାଧିକ ଲୋକ । ଗତକାଲି ଶବର ସାହିର କିଛି ଯୁବକ ଅରବିନ୍ଦ ନଗର ବସ୍ତି ନିକଟସ୍ଥ ଏକ ଦୋକାନରୁ ଖାଇବା ଆଣିବାକୁ ଯାଇଥିବା ବେଳେ ସେଠାରେ ଥିବା ସ୍ଥାନୀୟ କିଛି ଯୁବକ ଶବର ସାହିର ଟୁନା ଦେହୁରୀ ଓ ତାଙ୍କ ଭାଇଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ।

ଟୁନା ସାଙ୍ଗରେ ଯାଇଥିବା ଭାଇ ଓ ସାଙ୍ଗ ଜୀବନ ବିକଳରେ ଦୌଡ଼ିବା ବେଳେ ଗୋଡେଇ ଗୋଡେଇ ମାଡ ମାରିଥିଲେ । ଘଟଣାକୁ କେନ୍ଦ୍ର କରି ଗତ କାଲି ରାତିରେ ଶବର ସାହିର ଶତାଧିକ ମହିଳା ପୁରୁଷ ଅରବିନ୍ଦ ନଗର ଯାଇ ଆକ୍ରମଣକାରୀଙ୍କୁ ଖୋଜିବା ବେଳେ ଦୁଇ ପୁରୁଷ ଆକ୍ରମଣକାରୀ ଖସି ପଳାଇଥିଲେ ।

ପ୍ରଥମେ ଆକ୍ରମଣ କରିଥିବା ମହିଳାଙ୍କୁ ଶବର ସାହିର ଲୋକମାନେ ଉଠାଇ ଆଣି ସମାଧାନ ପାଇଁ ସାହିରେ ଅଟକ ରଖିଥିଲେ । ଖବର ପାଇ ଚନ୍ଦ୍ରଶେଖରପୁର ଓ ମଞ୍ଚେଶ୍ୱର ଥାନାର ପୋଲିସ ସମେତ ପିସିଆର କର୍ମୀ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଦୀର୍ଘ ଦୁଇଘଣ୍ଟା ଧରି ଅଟକ ଥିବା ମହିଳାଙ୍କୁ ପୋଲିସ ସାହି ଲୋକଙ୍କ କବଳରୁ ଉଦ୍ଧାର କରି ଥାନାକୁ ଆଣିଥିଲା । ଏନେଇ ତଦନ୍ତ କରୁଛି ପୋଲିସ ।