ବିଚାର ବିଭାଗକୁ ପ୍ରଭାବିତ କରିବାକୁ ପ୍ରୟାସ, CJIଙ୍କ ପାଖକୁ ୬ ଶହ ଓକିଲଙ୍କ ଚିଠି

ନୂଆଦିଲ୍ଲୀ: ବିଚାର ବିଭାଗକୁ ପ୍ରଭାବିତ କରିବା ଲାଗି ନ୍ଯସ୍ତସ୍ବାର୍ଥ ଗୋଷ୍ଠୀର ପ୍ରୟାସ ଅଭିଯୋଗ । କୋର୍ଟ ପରି ପବିତ୍ର ପ୍ରତିଷ୍ଠାନର ଆଦର୍ଶକୁ ବିପଥଗାମୀ କରିବା ଅଭିଯୋଗ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡଙ୍କ ନିକଟକୁ ଏନେଇ ପତ୍ର ଲେଖିଛନ୍ତି ଦେଶର ୬ ଶହରୁ ଅଧିକ ଓକିଲ । ସିଜେଆଇଙ୍କ ନିକଟକୁ ପତ୍ର ଲେଖିଥିବା ଓକିଲଙ୍କ ମଧ୍ଯରେ ରହିଛନ୍ତି ବରିଷ୍ଠ ଆଇନଜୀବୀ ହରିଶ ସାଲଭେ, ବାର୍ କାଉନସିଲ ଅଫ ଇଣ୍ଡିଆ ଅଧ୍ଯକ୍ଷ ମନନ କୁମାର ମିଶ୍ର ଏବଂ ଅନ୍ୟ ଆଇନଜୀବୀ । ସେମାନେ ବିଚାର ବିଭାଗର ସଂହତି ଉପରେ ଗୁରୁତ୍ବାରୋପ କରିଛନ୍ତି ।

ପତ୍ରରେ ଆଇନଜୀବୀ ଦର୍ଶାଇଛନ୍ତି ବିଚାର ପ୍ରକ୍ରିୟା, କୋର୍ଟ ରାୟକୁ ପ୍ରଭାବିତ କରିବା ଲାଗି କିଛି ନ୍ଯସ୍ତ ସ୍ବାର୍ଥଗୋଷ୍ଠୀ ଉଦ୍ଯମ କରୁଛନ୍ତି । ବିଚାର ବିଭାଗ ବିରୋଧରେ ଭିତ୍ତିହୀନ ମନ୍ତବ୍ଯ ଦେବା ସହ ଏହାକୁ ଏକ ରାଜନୈତିକ ଏଜେଣ୍ଡାରେ ପରିଣତ କରିଛନ୍ତି । ବିଶେଷ କରି ଦୁର୍ନୀତିରେ ଅଭିଯୁକ୍ତ ରାଜନୈତିକ ବ୍ଯକ୍ତିଙ୍କଠାରୁ ଏହାର ପ୍ରମାଣ ମିଳୁଛି । ଏପରିକି କୋର୍ଟ ରାୟକୁ ନିନ୍ଦିତ କରିବା ଦେଖାଯାଉଛି । ଏହି ଧରଣର ଉଦ୍ଯମ ଯୋଗୁଁ ବିଚାର ବିଭାଗ ଉପରେ ସର୍ବସାଧାରଣଙ୍କ ରହିଥିବା ବିଶ୍ବାସ କ୍ଷତିଗ୍ରସ୍ତ ହେଉଛି । ଯେଉଁ ଦେଶରେ ଆଇନକାନୁନ ବୋଲି କିଛି ନାହିଁ ସେହି ଦେଶର କୋର୍ଟଗୁଡିକ ସହ ଭାରତୀୟ କୋର୍ଟଗୁଡିକୁ ଏହି ଗୋଷ୍ଠୀ ତୁଳନା କରୁଛନ୍ତି ଓ ଉଦ୍ଦେଶ୍ୟମୂଳକ ଭାବେ ବିଚାର ବିଭାଗୀୟ ପ୍ରତିଷ୍ଠାନଗୁଡିକୁ ନିନ୍ଦିତ କରୁଛନ୍ତି । ଏହି ନ୍ଯସ୍ତସ୍ବାର୍ଥ ଗୋଷ୍ଠୀ ସପକ୍ଷରେ ଯଦି କୋର୍ଟ ରାୟ ନଯାଏ ତେବେ ସେମାନେ କୋର୍ଟକୁ ଖୋଦ୍ କୋର୍ଟ ଭିତରେ ଓ ମିଡିଆ ଜରିଆରେ ସମାଲୋଚନା କରିଥାନ୍ତି । ଏପରିକି ଯେଉଁ ବ୍ଯକ୍ତିଙ୍କ ମାମଲାର ବିଚାର ଯେଉଁ ବିଚାରପତି କରିଥାନ୍ତି ତାଙ୍କୁ ପ୍ରଭାବିତ କରିବା ଲାଗି ଚେଷ୍ଟା କରାଯାଉଛି ଓ ସେହି ବିଚାରପତିଙ୍କୁ ପ୍ରଭାବିତ କରିବା ଲାଗି ସୋସିଆଲ ମିଡିଆର ବ୍ଯବହାର କରିଥାନ୍ତି ବୋଲି ପତ୍ରରେ ଦର୍ଶାଯାଇଛି । ବିଚାର ବିଭାଗକୁ ସୁରକ୍ଷା ଦେବା ଲାଗି ଏହି ଆଇନଜୀବୀମାନେ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି ।