ଅନଲାଇନ୍ ଗେମିଂ ଉପରେ ୨୮ ପ୍ରତିଶତ ଜିଏସଟି, ମହଙ୍ଗା ହେବ କାର୍, ଶସ୍ତା ହେବ କ୍ୟାନ୍ସର ଔଷଧ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସଟି ପରିଷଦର ୫୦ତମ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଜିଏସଟି ପରିଷଦ ଅନଲାଇନ ଗେମିଂ, ହର୍ସ ରେସିଂ ଏବଂ କ୍ୟାସିନୋ ଉପରେ ୨୮ ପ୍ରତିଶତ ଟ୍ୟାକ୍ସ ଲଗାଇବାକୁ ମଞ୍ଜୁରୀ ଦେଇଛି । ପୂର୍ବରୁ ଏହା ଉପରେ ଟ୍ୟାକ୍ସ ଦର ୧୮ ପ୍ରତିଶତ ଥିଲା । ସେହିପରି ସିନେମା ହଲରେ ଖାଦ୍ୟ ଓ ପାନୀୟ ପଦାର୍ଥ ଉପରେ ଲାଗୁଥିବା ବିଲ୍ ଉପରେ ଜିଏସଟି କମ୍ କରିବାକୁ ନେଇ ହୋଇଥିବା ସୁପାରିଶକୁ ମଞ୍ଜୁରୀ ମିଳିଛି । ଏବେ ଏହି ପଦାର୍ଥ ଉପରେ ୧୮ ପ୍ରତିଶତ ବଦଳରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ ।

ଏହି ସମସ୍ତ ନିଷ୍ପତ୍ତିର ସୂଚନା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରେସ କନଫରେନ୍ସ କରି ଦେଇଛନ୍ତି । ଏହା ବ୍ୟତୀତ କ୍ୟାନ୍ସରରେ ପୀଡିତ ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ସରକାର । କ୍ୟାନ୍ସରର ଇମ୍ପୋର୍ଟେଡ ଔଷଧ ଉପରେ ଆଇଜିଏସଟି ଏବେ ଆଉ ଲାଗିବ ନାହିଁ । ଅର୍ଥାତ ଔଷଧ ମୂଲ୍ୟରେ ହ୍ରାସ ଆସିବ । ରନ୍ଧା ହୋଇନଥିବା ସ୍ନାକ୍ସ ଉପରେ ଜିଏସଟି ୧୮ ପ୍ରତିଶତରୁ ହ୍ରାସ କରାଯାଇ ୫ ପ୍ରତିଶତ କରାଯାଇଛି । ସେହିପରି ଇମିଟେସନ, ଜରି ସୂତ୍ର ଉପରେ ଜିଏସଟି ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି । ଏଲଇଡି ସ୍ଲାଗ ଉପରେ ମଧ୍ୟ ଜିଏସଟି ହାର ୫ ପ୍ରତିଶତକୁ ହ୍ରାସ କରାଯାଇଛି । ଦୀର୍ଘ ଦିନ ହେବ ଜିଏସଟି ପରିଷଦ ଅନଲାଇନ ଗେମିଙ୍ଗକୁ ନେଇ ଚର୍ଚ୍ଚା କରୁଥିଲା ।

ହେଲେ ଏଥର ପରିଷଦ ଅନଲାଇନ ଗେମିଙ୍ଗ ଉପରେ ୨୮ ପ୍ରତିଶତ ଲଗାଇବା ନେଇ ନିଷ୍ପତ୍ତି କରିଛି । ଜିଏସଟି ପରିଷଦ ଅନଲାଇନ ଗେମିଙ୍ଗରେ କିଛି ସଂଶୋଧନ କରିବା ସହ ୨୮ ପ୍ରତିଶତ ଜିଏସଟି ଲଗାଇବା ନେଇ ନିଷ୍ପତ୍ତି ନେଇଛି । ହର୍ସ ରେସିଂ, କ୍ୟାସିନୋ ଉପରେ ୨୮ ପ୍ରତିଶତ ଜିଏସଟି ଲଗାଇବା ଉପରେ ସହମତି ହୋଇଛି । କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ଜିଏସଟି ପରିଷଦରେ ମଲ୍ଟି ୟୁଟିଲିଟି ଭେଇକିଲ ଉପରେ ୨୨ ପ୍ରତିଶତ ସେସ୍ ଲଗାଇବାକୁ ମଞ୍ଜୁରୀ ଦେଇଛି । ଅବଶ୍ୟ ସେଡାନ କାରଗୁଡ଼ିକୁ ଏଥିରେ ସାମିଲ କରାଯାଇନାହିଁ । ଅର୍ଥମନ୍ତ୍ରୀ କହିଛନ୍ତି ଯେ ଜିଏସଟି ପରିଷଦ ଘରୋଇ ଅପରେଟର ଦ୍ୱାରା ଉପଗ୍ରହ ପ୍ରକ୍ଷେପଣ ସେବା ଉପରେ ଜିଏସଟି ଛାଡ଼ କରିଛି ।