ମୋରବି ପୋଲ ଦୁର୍ଘଟଣା ମାମଲା: ୧୪ରେ ଜନସ୍ୱାର୍ଥ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗୁଜରାଟ ମୋରବି ଝୁଲାପୋଲ ଦୁର୍ଘଟଣା ମାମଲା । ଜନସ୍ବାର୍ଥ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଆସନ୍ତା ୧୪ ତାରିଖରେ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ପୋଲ ଭୁଶୁଡ଼ିବା ଯୋଗୁ ୧୩୪ ଜଣଙ୍କ ସଲୀଳ ସମାଧୀ ପଛରେ ଠିକା ସଂସ୍ଥାର ଅବହେଳା । ବିନା ଟେଣ୍ଡରରେ ଏଲଇଡି ବଲକ ନିର୍ମାଣକାରୀ କମ୍ପାନୀ ଅଜନ୍ତା ଓରବେକୁ ଦିଆଯାଇଥିଲା ମରାମତି ଦାୟିତ୍ବ ।

ଶତାୟୁ ପୋଲର ରକ୍ଷଣାବେକ୍ଷଣ, ମରାମତି ପାଇଁ ଓରେଭା କମ୍ପାନୀ ସହ ଚୁକ୍ତି କରିଥିଲା ମୋରବି ନଗର ନିଗମ । ୨୦୩୭ ପର୍ଯ୍ୟନ୍ତ ପୋଲର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିଲା ଓରେଭା । ୭ମାସ ଧରି ବ୍ରିଜ ମରାମତି କାମ ଚାଲିଥିବାରୁ ଏହାକୁ ବନ୍ଦ ରଖାଯାଇଥିଲା । ହେଲେ ମରାମତି କାମ କରୁଥିବା କମ୍ପାନୀ ପୋଲର ପୁରୁଣା ତାର ମଧ୍ୟ ବଦଳାଇ ନଥିଲା ।

କିନ୍ତୁ ପୋଲର ଆୟୂଷ ଆହୁରି ୮ବର୍ଷ ବଢ଼ିଯାଇଛି ବୋଲି କମ୍ପାନୀ କହିଥିଲା । ମାତ୍ର ୫ ଦିନ ତଳେ ପୋଲ ସର୍ବସାଧଧାରଣଙ୍କ ପାଇଁ ଖୋଲା ଯାଇଥିବା ବେଳେ କମ୍ପାନୀକୁ ଫିଟନେସ ସାର୍ଟିଫିକେଟ ପ୍ରଦାନ କରାଯାଇ ନଥିବା ଜଣାପଡ଼ିଛି । ଘଟଣାରେ ଠିକା ସଂସ୍ଥା ନାଁରେ ହତ୍ୟା ମାମଲା ରୁଜୁ ହୋଇଛି । ଓରେଭା ଫାର୍ମର ୨ ମ୍ୟାନେଜର, ୨ ଜଣ କଣ୍ଟ୍ରାକ୍ଟର, ୨ ଜଣ ଟିକେଟ କ୍ଲର୍କ, ୩ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରାଯାଇଛି ।

ମରାମତି କାର୍ଯ୍ୟରେ ଓରେଭା କର୍ତ୍ତୃପକ୍ଷ ଅନେକ ଗାଇଡଲାଇନ ଉଲ୍ଲଂଘନ କରିଥିବା ସୂଚନା ମିଳିଛି । ଓରେଭା ମରାମତି କାମ ନିଜେ ନକରି ଦେବପ୍ରକାଶ ସଲ୍ୟୁସନ ନାମକ ଏକ ସଂସ୍ଥାକୁ କାର୍ଯ୍ୟଭାର ଦେଇଥିଲା । ୨୦୩୭ ମସିହା ଯାଏ ଓରେଭାକୁ ଏହି ବ୍ରିଜ ଦାୟିତ୍ବ ଦିଆଯାଇଥିବାବେଳେ ପ୍ରତିବର୍ଷ ଟିକେଟ ଦର ବଢାଇବା ଲାଗି ମଧ୍ୟ କୁହାଯାଇଥିଲା ।

ଫରେନସିକ ଲାବରେଟୋରୀର ରିପୋର୍ଟ ଅନୁସାରେ ବ୍ରିଜ ଉପରେ ପ୍ରବଳ ଜନସମାଗମ ହେବାରୁ ପୋଲଟି ଖସି ପଡିଥିଲା । ବଡ଼ କଥା ହେଉଛି ପୋଲର ଉଭୟ ମୁଣ୍ଡରେ ଠିଆ ହୋଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶଙ୍କ ମୃତ୍ଯୁ ଘଟିଥିଲା । କାରଣ ସେଠାରେ ପାଣି ନଥିବାରୁ ଲୋକ ଗୁରୁତର ଆହତ ହୋଇ ପ୍ରାଣ ହରାଇଥିଲେ ।