ଗୁଜରାଟ ଜାମନଗରର ଜଣାଶୁଣା ହୃଦରୋଗ ବିଶେଷଜ୍ଞଙ୍କ ହୃଦଘାତରେ ମୃତ୍ୟୁ

ଗାନ୍ଧିନଗର: ଗୁଜରାଟ ଜାମନଗରର ଜଣାଶୁଣା ହୃଦରୋଗ ବିଶେଷଜ୍ଞଙ୍କ ହୃଦଘାତରେ ମୃତ୍ୟୁ । ମଙ୍ଗଳବାର ସକାଳୁ ଡାକ୍ତର ଗୌରବ ଗାନ୍ଧୀଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୧ ବର୍ଷ ହୋଇଥିଲା । ପୂରା ଅଞ୍ଚଳରେ ହୃଦରୋଗ ବିଶେଷଜ୍ଞ ଭାବେ ତାଙ୍କର ପ୍ରସିଦ୍ଧି ଥିଲା । ଏତେ କମ ବୟସରେ ୧୬ ହଜାର ହାର୍ଟ ସର୍ଜରୀ କରିଥିଲେ ଡାକ୍ତର ଗୌରବ ଗାନ୍ଧୀ । ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ହୃଦରୋଗ ଜନିତ ସମସ୍ୟାର ସମାଧାନ ପାଇଁ ତାଙ୍କ ନିକଟକୁ ଆସୁଥିଲେ ।

ସବୁ ଦିନ ଭଳି ସୋମବାର ରାତିରେ କିଛି ରୋଗୀଙ୍କ ଚେକଅପ ପରେ ଘରକୁ ଫେରି ଖାଇବା ପରେ ଶୋଇବାକୁ ଯାଇଥିଲେ ଗୌରବ । ହେଲେ ସକାଳୁ ଆଉ ଉଠିନଥିଲେ । ପରିବାର ଲୋକେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଆଉ ଉଠିନଥିଲେ । ହୃଦଘାତରେ ତାଙ୍କର ଦେହାନ୍ତ ହୋଇସାରିଥିଲା । କେହି କେବେ ବି ଭାବିନଥିଲେ ଯେ ଜଣେ ହୃଦରୋଗ ବିଶେଷଜ୍ଞଙ୍କର ହୃଦଘାତରେ ମୃତ୍ୟୁ ହେବ । ସୋମବାର ରାତିରେ ଗୌରବ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । ତାଙ୍କର କୌଣସି ସମସ୍ୟା ଥିବା ପରିବାର ଲୋକ ଜାଣିବାକୁ ପାଇନଥିଲେ । ଛାତିରେ ଯନ୍ତ୍ରଣା ଜନିତ କୌଣସି ସମସ୍ୟା ଥିବା ଗୌରବ ମଧ୍ୟ କହିନଥିଲେ ।